ଦେବଗଡ଼,ଏନ୍ଏନ୍ଏସ୍: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ପ୍ରତିବାଦରେ ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ବହୁ ଦଳୀୟ ପଦାଧିକାରୀ ଓ କର୍ମୀ ମୁଖ୍ୟ ବଜାରସ୍ଥିତ ଗୋପବନ୍ଧୁ ଛକରେ ଏକ ପ୍ରତିବାଦ ସଭା କରିଛନ୍ତି । ଏହାସହ ବିଜେପି ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଓ ଅଦାନୀଙ୍କ ମହାଦୁର୍ନୀତିରୁ ନିଜକୁ ବଞ୍ଚାଇବାକୁ ଯାଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଏକ ମିଥ୍ୟା ମାନହାନୀ ମୋକଦ୍ଦମାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସେହିପରି ଆଗାମୀ ଦିନରେ ବିଜେପିର ଏଭଳି ହୀନ ରାଜନୀତିର ଉଚିତ ଜବାବ ଦେବା ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ ଚେତାବନୀ ଦେଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଏସସି ସେଲ ସଭାପତି ମଞ୍ଜୁଳ ନାୟକ, ଉପସଭାପତି ସୁବାଷ ଚନ୍ଦ୍ର ଭୋଇ, ନଗର ସଭାପତି ପ୍ରକାଶ କୁମାର ଦେବତା, ସୁଶାନ୍ତ କୁମାର ସ୍ୱାଇଁ, ଆମର୍ଜିତ ବାର୍ଲା, ପଞ୍ଚୁଲାଲ ବରାଇ,ବିକାଶ କୁମାର ଖଡ଼ିରତ୍ନ, ସତ୍ୟବତୀ ଭୋଇ ଓ ସବିତା ନାଏକଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ଥିଲେ ।