କଂଗ୍ରେସର ସ୍ୱତନ୍ତ୍ର ଯୋଜନା: କଶ୍ମୀରରୁ କନ୍ୟାକୁମାରୀ ଯାଏଁ ଯାତ୍ରା କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,ଏଜେନ୍ସି: ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର ଜାରି ରହିଛି। ଏହାରି ମଧ୍ୟରେ କଂଗ୍ରେସ ୨୦୨୪ର ସାଧାରଣ ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ରାହୁଲ ଗାନ୍ଧୀ ଆସନ୍ତା ବର୍ଷ କଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରିବେ। ଏହି ଯାତ୍ରାର ଅଧିକାଂଶ ଅଂଶବିଶେଷ ରହିବ ପଦଯାତ୍ରା। ସୂଚନାଯୋଗ୍ୟ ଏହି ଯାତ୍ରା କର୍ମକର୍ତ୍ତା ଓ ସାଧାରଣ ଜନତାଙ୍କ ସହିତ ରାହୁଲ ଗାନ୍ଧୀ ସଂପର୍କ ଯୋଡ଼ିବା ପାଇଁ କରାଯାଇପାରେ।

ସୂତ୍ର ଅନୁସାରେ ଜି୨୩ ନେତାମାନେ କଂଗ୍ରେସ ପାର୍ଟି ପାର୍ଲିଆମେଣ୍ଟ ଗଠନ ଦାବି କରିଛନ୍ତି। ଉଦୟପୁରରେ ଚାଲିଥିବା କଂଗ୍ରେସର ଚିନ୍ତନ ଶିବିର ଆଜି ଶେଷ ହେବ। ଏହି ଶିବିରରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ଦେଶବ୍ୟାପୀ ୪୦୦ ବରିଷ୍ଠ ଦଳୀୟ ନେତା ଯୋଗଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ଚିନ୍ତନ ଶିବରର ଦ୍ୱିତୀୟ ଦିନରେ ଶନିବାର ପାର୍ଟି ମହାସଚିବ, ରାଜ୍ୟ ପ୍ରଭାବୀ, ରାଜ୍ୟ ଶାଖାର ସଭାପତି, ବିଧାୟକ ଦଳର ନେତା ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେଇଥିଲେ। ସୂତ୍ର ଅନୁସାରେ ବୈଠକରେ କଂଗ୍ରେସ ସଂଗଠନକୁ ଅଧିକ ମଜବୁତ କରିବା ଉପରେ ଚର୍ଚ୍ଚା ହୋଇଛି।