ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ସିଡ୍‌ନୀ,ଏଜେନ୍ସି: କ୍ରୀଡ଼ା ଜଗତ ପାଇଁ ପୁଣି ଥର ବଡ଼ ଦୁଃଖଦ ଖବର ଆସିଛି। ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ପରଲୋକ ହୋଇଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ସାଇମଣ୍ଡସ୍‌ ଶନିବାର ରାତିରେ ଟାଉନ୍ସଭିଲେରେ ଏକ କାର ଦୁର୍ଘଟଣାର ସାମ୍ନା କରିଛନ୍ତି। ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ଦୁର୍ଘଟଣାର ସାମ୍ନା କରିଥିବା ସାଇମଣ୍ଡସ୍‌ଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ଏହା ବିଫଳ ହୋଇଛି। ପୁଲିସ କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା। ପୂର୍ବତନ କ୍ରିକେଟରଙ୍କ ଶରୀରରେ ଗଭୀର କ୍ଷତ ପହଞ୍ଚିଥିଲା।

ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ଦେହାନ୍ତ ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆର ଅନ୍ୟତମ ବିଶିଷ୍ଟ ଖେଳାଳି ସେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଯାଇଥିଲା।

କୁଇନ୍ସଲ୍ୟାଣ୍ଡ ପୋଲିସ କହିଛି ଯେ, ସହର ଠାରୁ ପାଖାପାଖି ୫୦ କିଲୋମିଟର ଭେଷ୍ଟର ହର୍ଭେ ରେଞ୍ଜରେ ରାତି ପ୍ରାୟ ୧୦ଟା ୩୦ରେ ସାଇମଣ୍ଡ ଦୁର୍ଘଟଣାର ସାମ୍ନା କରିଥିଲେ। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ପହଞ୍ଚିଥିଲା। ଆରମ୍ଭରୁ ସୂଚନା ମିଳିଥିଲା ଯେ, ସାଇମଣ୍ଡସ୍‌ଙ୍କ କାର୍ ସଡ଼କରେ ଓଲଟି ପଡ଼ିଥିଲା। କାର୍‌ରେ ସାଇମଣ୍ଡ ଥିଲେ । ତାଙ୍କୁ ଆମ୍ବୁଲାନ୍ସରେ ହସ୍‌ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଆଣ୍ଡ୍ରୁ ସାଇମଣ୍ଡସ୍‌ ଅଷ୍ଟ୍ରେଲିଆ ପାଇଁ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଓ ୧୨ଟି ଟି-୨୦ ମ୍ୟାଚ ଖେଳିଥିଲେ। ସେ ୨୦୦୩ ଓ ୨୦୦୭ରେ ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟରେ ବଡ଼ ଭୂମିକା ନେଇଥିଲେ।