ପଲିଥିନ ଗୋଦାମ ଉପରେ ଚଢାଉ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାରେ ପଲିଥିନ ବ୍ୟବହାର ବର୍ଜନ ପାଇଁ ଜିଲ୍ଲା ପ୍ରଶାସନ ବନ ବିଭାଗ ତରଫରୁ ବାରମ୍ବାର ସଚେତନ କରା ଯାଉଥିଲେ ମଧ୍ୟ ବ୍ୟବସାୟୀ ମାନେ ଏହାକୁ ବୃକ୍ଷେପ ନ କରି ଖୁଚରା ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି। ଯାହାଫଳରେ ମାଲକାନଗିରି ସହର ଏବଂ ଜିଲ୍ଲାର ଅନ୍ୟାନ୍ୟ ଅଂଚଳରେ ବହୁଳ ପରିମାଣର ପଲିଥିନ ବ୍ୟବହାର ଯୋଗୁଁ ପରିବେଶ ଦୂଷିତ ସହ ବିଭିନ୍ନ ନାଳ ନର୍ଦ୍ଧମାରେ ପଲିଥିନ ପଡି ଆବର୍ଜନା ପାଣି ନିଷ୍କାସନ ହୋଇ ପାରୁନାହିଁ। ଯାହାଫଳରେ ବର୍ଷା ସମୟରେ ଡ୍ରେନ୍ ପାଣି ରାସ୍ତା ଉପରକୁ ଆସି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି।

ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନିର୍ଦେଶରେ ମାଲକାନଗିରି ସହରର ଦୁଇଟି ବ୍ୟବସାୟ ପ୍ରତିଷ୍ଠାନ ଉପରେ ପୌର ପରିଷଦ ଓ ପୁଲିସ୍ ବିଭାଗ ତରଫରୁ ଚଢାଉ କରା ଯାଇଥିଲା। ବ୍ୟବସାୟୀ ନାରାୟଣ ସୁରାନା ଓ ଜି. ନାରାୟଣ ରାଓଙ୍କ ଗୋଦାମରୁ ବିଭିନ୍ନ କିସମର ୮ କ୍ୱିଂଟାଲ ପଲିଥିନ , ସୋଲ ଗ୍ଲାସ, ଥାଳି ପ୍ଲେଟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ବେଳେ ଉଭୟଙ୍କୁ ୬ ଲ କ୍ଷ ୫୦ ହଜାର ଟଙ୍କା ଜରିମାନା କରା ଯାଇଛି। ଏହି ଚଢାଉରେ ପୌର ପରିଷଦ ଅଧ୍ୟ କ୍ଷ ଏମ୍. ନିଳକଣ୍ଠ ନାଇଡୁ, ସହକାରୀ ଯନ୍ତ୍ରୀ ଇନ୍ଦୁମାଧବ ସରକାର, ଲିଙ୍ଗରାଜ ପାଳ, ଅତିରିକ୍ତ ତହସିଲଦାର ସଦାସିବ ଭତ୍ରା, କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ବେଟି, ପୁଲିସ୍ ଏସ୍.ଆଇ. ସୁନିଲ କୁମାର ସ୍ୱାଇଁ ଉପସ୍ଥିତ ଥିଲେ।