କାଳ ହେଲା ବନ୍ଧୁଙ୍କ ଜନ୍ମଦିନ ଉତ୍ସବ : କୋଲାବ ନଦୀରେ ବୁଡି ୩ ବନ୍ଧୁ ମୃତ

ପହଂଚିଲାନି ଆମ୍ବୁଲାନସ୍ ,ଅଟୋରିକ୍ସାରେ ହସ୍ପିଟାଲ୍ ନେଲେ ସହପାଠୀ

କୋରାପୁଟ,ଏନ୍ଏନ୍ଏସ୍ : ଜଣେ ବନ୍ଧୁଙ୍କ ଜନ୍ମଦିନ ପାଳନ ପରେ ଜୀବନ ହାରିଲେ ତିନି ବନ୍ଧୁ । ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ସରକାରୀ ମହାବିଦ୍ୟାଳୟରେ। ଶନିବାର ପୂର୍ବାହ୍ନରେ ଉପର କୋଲାବ୍ ଜଳ ଭଣ୍ଡାରରେ ବୁଡି କୋରାପୁଟ ସରକାରୀ ମହାବିଦ୍ୟାଳୟର ୩ଜଣ ଛାତ୍ର ମୃତ୍ୟୁ ବରଣ କରିଛନ୍ତି। ମୃତ ଛାତ୍ରମାନେ ହେଲେ ମାଲକାନଗିରି ଜିଲା ମାଥିଲି ଥାନା ଗୋବିନ୍ଦପାଲିର ସୁନାଧର ପୂଜାରୀଙ୍କ ପୁଅ ସନ୍ଦୀପ ପୂଜାରୀ(୧୯),ମାଲକାନଗିରିର ରମାକାନ୍ତ ପଟ୍ଟନାୟକ(୧୯) ଓ ଗଞ୍ଜାମ୍ ଜିଲା ବୁଗୁଡାର ପ୍ରମେଦ ସାସମଲଙ୍କ ପୁଅ ମନ୍ମଥ ସାସମଲ(୧୯) । ମୃତ ତିନିଜଣ କୋରାପୁଟ ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ଦ୍ୱିତୀୟ ବର୍ଷରେ ପଢୁଥିବାବେଳେ ରମାକାନ୍ତ ଓ ସନ୍ଦୀପ ହଷ୍ଟେଲରେ ରହୁଥିଲେ ଏବଂ ମନ୍ମଥ କୋରାପୁଟରେ ମାମୁଁ ଘରେ ରହି ପଢୁଥିବା ଜଣା ପଡିଛି ।

ସୂଚନା ଅନୁଯାୟୀ, ଆଜି ମୃତକମାନଙ୍କ ସହପାଠୀ ପ୍ରେମ କୁମାର ବାକାଙ୍କର ଜନ୍ମଦିନ ଥିଲା। ତେଣୁ ସେ ସମସ୍ତେ ସହପାଠୀମାନଙ୍କୁ ନେଇ ପୂର୍ବାହ୍ନରେ କଲେଜ୍ କ୍ୟାମ୍ପସ୍ ପାଖ କୋଲାବ୍ ଜଳ ଭଣ୍ଡାର କୂଳରେ ଏକ ଟି ପାର୍ଟି ଆୟୋଜନ କରିଥିଲେ। ପାର୍ଟି ଶେଷ ପରେ ସମସ୍ତେ କଲେଜକୁ ଫେରି ଆସିଥିବାବେଳେ ରମାକାନ୍ତ,ସନ୍ଦୀପ,ମନ୍ମଥ,ବିକୁ ରାଉତ ଏବଂ ପ୍ରେମ କୁମାର ବାକା ହାତ ଧୋଇବାକୁ ଜଳ ଭଣ୍ଡାରକୁ ଯାଇଥିଲେ। ହାତ ଧୋଉଥିବାବେଳେ ଅଚାନକ ସେମାନଙ୍କ ଗୋଡ ଖସି ଯିବାରୁ ତିନିଜଣ ପାଣିରେ ବୁଡି ଯାଇଥିଲେ । ବିକୁ ଓ ପ୍ରେମ କୁମାର ତିନିଜଣକୁ ଉଦ୍ଧାର କରି ହସ୍ପିଟାଲ୍ ନେବାକୁ ୧୦୮ ଆମ୍ବୁଲାନସକୁ ଫୋନ୍ କରିଖିଲେ କିନ୍ତୁ ଆମ୍ବୁଲାନ୍ସ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଉତର ମିଳିଥିଲା।

ତେଣୁ ସେମାନେ ସହପାଠୀ ମାନଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଛାତ୍ରଛାତ୍ରୀ ୨୬ ନଂ ଜାତୀୟ ରାଜପଥକୁ ଯାଇ ୨ଟି ଅଟୋରିକ୍ସା ଭଡା କରି ନେଇଥିଲେ ଏବଂ ପ୍ରାୟ ୧ ଘଂଟା ବିଳମ୍ବରେ ସେମାନଙ୍କୁ କୋରାପୁଟ ଏସ୍ ଏଲ୍ ନେ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ପହଂଚାଇବା ପରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପ୍ରଚାର ହେବା ମାତ୍ରେ କଲେଜ୍ ପରିସରରେ ଶୋକର ଛାୟା ଖେଳି ଯାଇଛି। କୋରାପୁଟ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ ପରିସରରେ ମଧ୍ୟ ଅତ୍ୟନ୍ତ ଦୁଖର ବାତା ବରଣ ଦେଖିବାକୁ ମିଳିଛି।

କୋରାପୁଟ ବିଧାୟକ ରଘୁରାମ ପଡାଲ୍,ଜିଲାପାଳ ମଧୁ ସୂଦନ ମିଶ୍ର,ଏସପି ମୁକେଶ କୁମାର ଭାମୁ,ଅତିରିକ୍ତ ଜିଲାପାଳ ଦେବେନ୍ କୁମାର ପ୍ରଧାନ,କୋରାପସ୍ୱଙ୍କ ଏସଡିପିଓ ବଳଭଦ୍ର ଦୀପ କଲେଜ୍ ଅଧ୍ୟକ୍ଷ ଏସ୍.ଏସ୍.ପାଢି ପ୍ରମୁଖ ମେଡିକାଲ୍ କଲେଜରେ ପହଂଚି ସମବେଦନା ଜଣାଇବା ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ କହିଛନ୍ତି । ଟାଉନ୍ ଥାନା ଅଧିକାରୀ ପୀତବାସ ଧାରୁଆ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।।