ଡ୍ୟୁଟିକୁ ଯାଉଥିବା ପୁଲିସକର୍ମୀ ଉପରେ ଆତଙ୍କବାଦୀଙ୍କ ଗୁଳି ବର୍ଷା

ଶ୍ରୀନଗର: ମଧ୍ୟ କଶ୍ମୀରର ଶ୍ରୀନଗର ଜିଲ୍ଲାରେ ଆତଙ୍କବାଦୀଙ୍କ ଫାୟରିଂ ଯୋଗୁ ଜଣେ ପୁଲିସକର୍ମୀ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଗୁରୁତର ଯବାନଙ୍କ ନାମ ହେଉଛି ଗୁଲାମ ହସନ ଡାର । ଆତଙ୍କବାଦୀଙ୍କ ଏହି ଆକ୍ରମଣ ଶ୍ରୀନଗର ଜିଲ୍ଲାର ଡା. ଅଲୀ ଜାନ ରୋଡର ଏବା ବ୍ରିଜ ପାଖରେ ହୋଇଛି ।

ଜଣେ ଶୀର୍ଷ ପୁଲିସ ଅଧିକାରୀ କହିଛନ୍ତି ଯେ, ସିପାହୀ ହସନ ଏବେ ପିସିଆରରେ ନିଯୁକ୍ତ ଥିବାବେଳେ ଆକ୍ରମଣ ସମୟରେ ବାଇକ ଯୋଗେ ଡ୍ୟୁଟିକୁ ଯାଉଥିଲେ । ସେହି ସମୟରେ ଆତଙ୍କବାଦୀ ତାଙ୍କ ଉପରେ ଗୁଳି ବର୍ଷା କରିଥିଲେ । ଫଳରେ ସେ ଗମ୍ଭୀର ଭାବେ ଆହତ ହୋଇଥିଲେ । ତାଙ୍କୁ ଆହତ ଅବସ୍ଥାରେ ଦେଖି ଆତଙ୍କବାଦୀମାନେ ସେଠାରୁ ପଳାଇ ଯାଇଥିଲେ । ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ତାଙ୍କ ସ୍କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଇତିମଧ୍ୟରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାବଳ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଦେଇଛି । ଗୁଳି ଚଳାଇଥିବା ଆତଙ୍କବାଦୀର ତଲାସି ମଧ୍ୟ ଜାରି ରହିଛି । ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ବି ପୁଲିସ ଯାଞ୍ଚ କରୁଛି ।