କୋରୁକୋଣ୍ଡା,ଏନ୍ଏନ୍ଏସ୍: ଗତ କିଛିଦିନ ତଳେ ସ୍ୱାଭିମାନ ଅଞ୍ଚଳ ଗସ୍ତକରିଥିଲେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ନିଜର ଗସ୍ତ ସମୟରେ ସ୍ୱାଭିମାନ ଅଞ୍ଚଳରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେହି ସମୟରେ ସେ ସ୍ୱାଭିମାନ ଅଞ୍ଚଳର ହେଉଥିବା ରାସ୍ତା ଘାଟ କାର୍ଯ୍ୟ ବୁଲି ଦେଖିଥିଲେ। ତେବେ ସ୍ୱାଭିମାନ ଅଞ୍ଚଳରେ କୌଣସି ରାଜନେତା ନଥିବାରୁ ସେ ପ୍ରଶାସନିକ ଅଧିକାରୀ ମାନଙ୍କର ହୁକୁମ ଚାଲିଥିବା ଦେଖିଥିଲେ। ଯେଉଁ ରାସ୍ତା କାମ ଚାଲିଛି ସେଥିରେ ନିମ୍ନମାନର ମେଟାଲ ବ୍ୟବହାର ହେବା ସହ ସିମେଣ୍ଟ ମଧ୍ୟ ନିମ୍ନମାନର ବ୍ୟବହୃତ ହେଉଥିବା ଦେଖିଥିଲେ। ଏହାସହ ଆରଡି ବିଭାଗର ପ୍ରଶାନ୍ତ କୁମାର ବେହେରା (ସାଇ) ନାମକ ଯନ୍ତ୍ରୀ ସମସ୍ତ କାର୍ଯ୍ୟ ପରିଚାଳନା କରୁଥିବା ଜାଣିବାକୁ ପାଇଥିଲେ।
ଏପରି ନିମ୍ନମାନର କାର୍ଯ୍ୟ ଦେଖି ସେ ସରକାରଙ୍କୁ ବହୁ ସମାଲୋଚନା କରିଥିଲେ। ସ୍ୱାଭିମାନ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ ଜଣେ ମାତ୍ର ଯନ୍ତ୍ରୀ ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି। ପ୍ରଦୀପ ମାଝୀଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ ପରେ ବର୍ତ୍ତମାନ ଭୁବନେଶ୍ୱରରୁ ଏକ ଟିମ ସ୍ୱାଭିମାନ ଅଞ୍ଚଳରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଇଆଇସି ଚନ୍ଦ୍ର ମଉଳି ପଟ୍ଟନାୟକ ଏବଂ ଏସସି ପ୍ରମୋଦ କୁମାର ଜେନା ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ହେଉଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବହୁ ଦୁର୍ନୀତି ହେଉଥିବା ଦେଖି ଯନ୍ତ୍ରୀ ସାଇଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ। ଏହାସହ ସମସ୍ତ କାର୍ଯ୍ୟ ଠିକ ରୂପେ କରିବା ପାଇଁ ଆଦେଶ ଦେଇଥିଲେ। ତେବେ ସମ୍ପୃକ୍ତ ଠିକାଦାର ଏବଂ ଏହି ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ହେତୁ ଏଭଳି ନିମ୍ନମାନର କାର୍ଯ୍ୟ ହେଉଥିବା ସ୍ୱାଭିମାନ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଏହି ଯନ୍ତ୍ରୀଙ୍କୁ ହଟାଇ ଆରଡ଼ି ବିଭାଗର ଅନ୍ୟ ଯନ୍ତ୍ରୀଙ୍କୁ ଏହି କାର୍ଯ୍ୟ ଗୁଡିକର ଦାୟିତ୍ୱ ଦିଆଯାଉ ବୋଲି ସ୍ୱାଭିମାନ ଅଞ୍ଚଳବାସୀ ଦାବି କରିଛନ୍ତି।