ପାଟଣାଗଡ଼,ଏନ୍ଏନ୍ଏସ୍: ବେଲପଡ଼ା ଥାନା ଅନ୍ତର୍ଗତ ମଣ୍ଡଳ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରକୁ କିଛି ଦୁବୁର୍ତ୍ତ ଗତ ମାସ ୬ ତାରିଖରେ ପ୍ରବେଶ କରି ପାଖାପାଖି ୧୦ଗ୍ରାମ ସୁନା ଓ ୫କେଜି ରୁପା ଅଳଙ୍କାର ଚୋରୀ କରିଥିବା ନେଇ ବେଲପଡ଼ା ଥାନାରେ ଅଭିଯୋଗ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ବେଲପଡ଼ା ପୁଲିସ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ଆଜି ପବିତ୍ର ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ବିନା ଅଳଙ୍କାରରେ ପୂଜା ପାଇଥିବାରୁ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ଆସି ବେଲପଡ଼ା ଥାନା ଘେରାଉ କରିଥିଲେ। ବେଲପଡ଼ା ଥାନାଧିକାରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ପାଟଣାଗଡ଼ ପୁଲିସ ମଣ୍ଡଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ପରିବେଶ ଶାନ୍ତ ହୋଇଥିଲା। ଏଥିସହିତ ଆଗାମୀ ୧୦ ଦିନ ମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।