ଦେବଗଡ଼ ଥାନା ପୁଲିସର ସମୟପୋଯୋଗୀ ପଦକ୍ଷେପ ଯୋଗୁଁ ବଞ୍ଚିଗଲା ଯୁବତୀଙ୍କ ଜୀବନ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମର ଜଣେ ଯୁବତୀ ପାରିବାରିକ କଳହକୁ କେନ୍ଦ୍ର କରି ପ୍ରଧାନପାଟ ଜଳପ୍ରପାତକୁ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଏହି ସମୟରେ ଦେବଗଡ଼ ଥାନା ପୁଲିସର ସମୟପୋଯୋଗୀ ପଦକ୍ଷେପ ଯୋଗୁଁ ଯୁବତୀ ଜଣଙ୍କୁ ଆତ୍ମହତ୍ୟା ଉଦ୍ୟମରୁ ରୋକାଯାଇ ପାରିଥିବା ଜଣାପଡିଛି।

ପୁଲିସ ସୂଚନା ଅନୁସାରେ ଉଦ୍ଧାର ହୋଇଥିବା ଯୁବତୀ ଜଣଙ୍କ ଦେବଗଡ଼ ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମର ଭୋଳାନାଥ ନାଏକଙ୍କ ଝିଅ ଯାଜ୍ଞସେନୀ ନାଏକ (୧୮)। ଗତକାଲି ସନ୍ଧ୍ୟାରେ ନିଜ ଘରେ କୌଣସି କାରଣକୁ ନେଇ ପରିବାର ଲୋକଙ୍କ ସହ କଳହ କରି ନିଜ ଗ୍ରାମରୁ ଦେବଗଡ଼କୁ ଚାଲି ଆସିଥିଲେ। ରାତ୍ରି ପ୍ରାୟ ସାଢ଼େ ୮ଟା ସମୟରେ ଯୁବତୀ ଜଣଙ୍କ ପ୍ରଧାନପାଟ ଜଳପ୍ରପାତ ଆଡକୁ ଯାଉଥିବା ବେଳେ ଦେବଗଡ଼ ଥାନା ପୁଲିସ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା।

ଯୁବତୀ ଜଣଙ୍କ ପାହାଡ଼ ଉପରକୁ ଚଢିବା ଦେଖି ପାଟ୍ରୋଲିଂ କରୁଥିବା ପୁଲିସ ଏସ ଆଇ ବୁଦ୍ଧରାଏ ମାଝୀ ସଦଳବଳେ ଯୁବତୀଙ୍କ ପିଛା କରିଥିଲେ। ମହିଳା ପୁଲିସ କର୍ମଚାରୀ ନିରୁପମା ନାଏକଙ୍କ ସହାୟତାରେ ଉକ୍ତ ଯୁବତୀଙ୍କୁ କାବୁ କରି ପାହାଡ଼ ତଳକୁ ଅଣାଯାଇଥିଲା। ପଚରାଉଚୁରା ପରେ ଯୁବତୀ ଜଣଙ୍କ ପାରିବାରିକ କଳହକୁ ନେଇ ଆତ୍ମହତ୍ୟା ପାଇଁ ପାହାଡ଼ ଉପରକୁ ଯାଉଥିବା ଜଣାପଡ଼ିଥିଲା। ପୁଲିସ ଉକ୍ତ ଯୁବତୀକୁ ଥାନାକୁ ଆଣିବା ପରେ ସଖୀ ୱାନ ଷ୍ଟପ ସେଣ୍ଟଟରରେ ଆଶ୍ରୟ ଦେବା ସହ ଆଜି ଯୁବତୀଙ୍କ ପରିବାର ଲୋକଙ୍କୁ ଥାନାକୁ ଡାକି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏ ନେଇ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି।