ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ପୁଲିସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ଥାନା ଅଧୀନସ୍ଥ ମିର୍ଦ୍ଧାଡେରାରୁ ଜଣେ ୧୯ ବର୍ଷୀୟ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ। ମୃତ ଯୁବତୀ ଜଣଙ୍କ ସୁକାନ୍ତ ଛଞ୍ଚାଣଙ୍କ ଝିଅ ବୃନ୍ଦାବତୀ ଛଞ୍ଚାଣ ବୋଲି ବେଲପାହାଡ଼ ପୁଲିସ ସୂଚନା ଦେଇଛି।
ସୂଚନା ଅନୁସାରେ ବୃନ୍ଦାବତୀ ମୋବାଇଲରେ ସବୁବେଳେ କଥା ହେଉଥିଲେ। ତାଙ୍କ ବାପା ଏହି କଥାବାର୍ତ୍ତାକୁ ବାରଣ କରିଥିଲେ ହେଁ, ବୃନ୍ଦାବତୀ କଥାବାର୍ତ୍ତା ବନ୍ଦ କରିନଥିଲେ। ପରେ ପରିବାର ଲୋକେ ମୋବାଇଲଟିକୁ ନେଇଯାଇଥିଲେ। ଫଳରେ ବୃନ୍ଦାବତୀ ଅଶାନ୍ତ ରହୁଥିଲେ।

ଗତକାଲି ସକାଳେ ସମସ୍ତେ କାମକୁ ଯାଇ ସନ୍ଧ୍ୟାରେ ଘରକୁ ଫେରିବା ପରେ ଏକ ଶାଢ଼ୀରେ ବୃନ୍ଦାବତୀଙ୍କ ମୃତଦେହ ଝୁଲୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ବେଲପାହାଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।