ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା ଓ ବସ୍ତର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଆଜି ସକାଳେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଉଭୟ ଜିଲ୍ଲାର ଚାନ୍ଦାମେଟା, ପଟେଲପାରା, ଗଦମେପାରା, ଅଣ୍ଡାଲପାରା, ଦୁଳସୀ ଡୋଗ୍ରୀ ଓ କୁମାକୋଲେଙ୍ଗ ଜଙ୍ଗଲରେ ଦରଭା ଡିଭିଜନର ଗାଙ୍ଗେରଘାଟି ଏରିଆ କମିଟିର ମାଓବାଦୀମାନେ ଏକ ଶିବିର କରିଥିବା ଖବର ପାଇବା ପରେ ସିଆରପିଏଫର ୮୦ ବାଟାଲିୟନ, ବସ୍ତର ଜିଲ୍ଲାର ଡିଆରଜି, ଦାନ୍ତେୱାଡା ଜିଲ୍ଲାର ଡିଆରଜି ଓ ସୁକୁମା ଜିଲ୍ଲା ପୁଲିସ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଯବାନଙ୍କ ଉପରେ ଗୁଳିଚାଳନା କରିଥିଲେ। ଏହାର ଜବାବ ଦେବାକୁ ଯାଇ ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। କିଛି ଘଣ୍ଟା ଉଭୟ ପକ୍ଷରୁ ଗୁଳିଚାଳନା ହେବା ପରେ ଜଙ୍ଗଲ ସୁବିଧା ନେଇ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ପରେ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ତଲାସୀ କରିବା ବେଳେ ଜଣେ ମହିଳା ମାଓବାଦୀର ମୃତଦେହ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ ଏକ ଏକେ-୪୭ ରାଇଫଲ, ୨ଟି ପିସ୍ତଲ, ଗୋଟିଏ ୧୨ ବୋର ବନ୍ଧୁକ, ଗୋଟିଏ ଭରମାର ବନ୍ଧୁକ ଓ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।