ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିରରେ ପହଞ୍ଚିଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ। ଆଇଜି ଅପରେସନ୍ ଅମିତାଭ ଠାକୁର, ଏସଆଇଡ଼ବ୍ଲ୍ୟୁ ଡ଼ିଆଇଜି ଅନିରୁଦ୍ଧ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି। ନିହତ ହୋଇଥିବା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରାଯାଉଛି। ସୂଚନା ଅନୁସାରେ ପୁଲିସ ଗୁଳିରେ ଜଣେ କ୍ୟାଡ଼ର ମାଓବାଦୀ ନିହତ ହୋଇଛନ୍ତି ଏବଂ ଏହି ଘଟଣାରେ ଖପ୍ରାଖୋଲ ଜଙ୍ଗଲ ନିକଟରେ ସର୍ଚ୍ଚ ଅପରେସନ୍ ବେଳେ ମାଓ ସାମଗ୍ରୀ ଜବତ ହୋଇଛି। ୭ଟି ଗୁଳି, ଗୋଟିଏ ବନ୍ଧୁକ ଓ ଡ଼ିଟୋନେଟର ଜବତ ମଧ୍ୟ କରିଛି ପୁଲିସ।
ନିହତ ମାଓବାଦୀଙ୍କ ମୃତଦେହକୁ ବଲାଙ୍ଗିର ଅଣାଯାଇଥିବା ସୂଚନା ମିଳିଛି। ମୃତ ମାଓବାଦୀର ନାଁ ଶଙ୍କର। ତା’ଘର ଛତିଶଗଡ଼ରେ ବୋଲି ଜଣାପଡିଛି। ଏନେଇ ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଜୁନାନିବାହାଲର ଜଣଙ୍କ ଘରୁ କିଛି ମାଓବାଦୀ ଆସିଥିବା ଖବର ପାଇଥିଲା ପୁଲିସ। ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍। ସୁରକ୍ଷାବାହିନୀକୁ ଦେଖି ମାଓବାଦୀ ପ୍ରଥମେ ଗୁଳି ଚଳାଇଥିଲେ। ପାଲଟା ଜବାବ ଦେଇଥିଲେ ସୁରକ୍ଷା ବାହିନୀ।