ମାଓବାଦୀଙ୍କ ସହ ଗୁଳି ବିନିମୟରେ ଆହତ ହୋଇଥିବା ଯବାନଙ୍କୁ ଏମ୍ସରେ ଭେଟିଲେ ପୁଲିସ ଡିଜି

କଳାହାଣ୍ଡି,ଏନ୍ଏନ୍ଏସ୍: ଗତକାଲି ସୁରକ୍ଷାକର୍ମୀ ଓ ଯବାନଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଆହତ ହୋଇ ଏମ୍ସ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଯବାନଙ୍କୁ ଭେଟିଛନ୍ତି ପୁଲିସ ଡିଜି ଅଭୟ। ଏହା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ପଚାରି ବୁଝି ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ବି ପୋଲିସ ଡିଜି ଆଲୋଚନା କରିଥିବା ସୂଚନା ମିଳିଛି।

ଗତକାଲି ହେଲିକପ୍ଟରରେ ଆହତ ଦୁଇ ଯବାନଙ୍କ ଭୁବନେଶ୍ୱର ଏୟାରଲିଫ୍ଟ କରାଇଥିଲେ ପୁଲିସ ଡିଜି ଅଭୟ। ସେ ହେଲିକପ୍ଟର ଯୋଗେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମାଓ ଦମନ ଅଭିଯାନର ସମୀକ୍ଷା ପାଇଁ ଯାଉଥିଲେ।

ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ଖବର ସୁନାବେଡ଼ାରେ ପାଇବା ପରେ ଡିଜି ଗସ୍ତ ବାତିଲ କରି ବୌଦ୍ଧ ଜିଲ୍ଲାର ପାଦେଲପଡ଼ାଠାରେ ହେଲିକପ୍ଟର ଅବତରଣ କରିଥିଲେ। ସେଠାରୁ ଦୁଇ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଆଣିଥିଲେ। ଏବେ ଏମ୍ସରେ ସେମାନଙ୍କର ଚିକିତ୍ସା ଚାଲିଛି। ଦୁଇ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଥିଲା।