ପୁଲିସ ଡିଜି ଅଭୟଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,ଏନ୍ଏନ୍ଏସ୍: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପ ଗସ୍ତ କରିଛନ୍ତି। ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ ଅଭୟ ସୁରକ୍ଷାକର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ଏଥିସହିତ ଗତକାଲି ମାଓବାଦୀଙ୍କ ସହ ହୋଇଥିବା ଗୁଳି ବିନିମୟ ଘଟଣାର ସମୀକ୍ଷା କରିବା ସହ ପୁଲିସ ଓ ବିଏସଏଫର ବରିଷ୍ଠ ଅଧିକାରୀଙ୍କ ସହ ମାଓବାଦୀଙ୍କ ଗତିବିଧି ଏବଂ ଦମନ ନେଇ ରଣନୀତି ପ୍ରସ୍ତୁତ କରିଥିଲେ। ସ୍ୱାଭିମାନ ଅଞ୍ଚଳରୁ ଧୀରେ ଧୀରେ ମାଓବାଦୀଙ୍କ ଗତିବିଧି ହ୍ରାସ ପାଇଛି। ଏହି ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ଯଥା ରାସ୍ତା, ଟାୱାର ପ୍ରତିଷ୍ଠା ପରେ ବର୍ତ୍ତମାନ ମାଓବାଦୀମାନେ ବ୍ୟାକଫୁଟରେ ଅଛନ୍ତି। ଚଳିତ ବର୍ଷ ଆରମ୍ଭରେ ଲୋକେ ମାଓବାଦୀଙ୍କୁ ଧରି ମାରପିଟ କରିଛନ୍ତି। ମାଓବାଦୀମାନେ ବ୍ୟତିବ୍ୟସ୍ତ ହୋଇ ବେଳେବେଳେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହାର ସୁରକ୍ଷାକର୍ମୀମାନେ ଉଚିତ ଜବାବ ଦେଉଛନ୍ତି ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରକାଶ କରିଛନ୍ତି। ଗସ୍ତ ବେଳେ ତାଙ୍କ ସହ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଆର କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଏସଆଇଡବ୍ଲ୍ୟୁ ଡିଆଇଜି ଅନିରୁଦ୍ଧ ସିଂ ଓ ମାଲକାନଗିରି ଏସପି ଋିିଷିକେଶ ଡି ଖିଲାରୀ ପ୍ରମୁଖ ଉପସ୍ଥିତ ଥିଲେ।