ପୁଲିସ କବଜାରେ ୬ ଏଲ୍‌ଇଟି ଆତଙ୍କବାଦୀ

ଶ୍ରୀନଗର,ଏଜେନ୍ସି: ଘାଟିରେ ପୁଲିସକୁ ସଫଳତା। ସୋପୋର ଏବଂ ବାନ୍ଦିପୁରାରେ ୬ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ସେମାନଙ୍କ ଠାରୁ ଆତଙ୍କୀ ପୋଷାକ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ଗୁଳିଗୋଳା ଜବତ କରାଯାଇଛି। ସମସ୍ତ ଆତଙ୍କୀ ଲସ୍କର-ଇ-ତୋଇବା ଏଲ୍‌ଇଟିର ସକ୍ରିୟ ସଦସ୍ୟ ଭାବେ ଘାଟିରେ ଆତଙ୍କ ଜାରି ରଖିଥିଲେ ବୋଲି ପୋଲିସ କହିଛି।

ମିଳିଥିବା ସୂଚନା ଅନୁସାରେ, ଆଜି (ଶନିବାର) ପ୍ରାୟ ମଧ୍ୟାହ୍ନ ସମୟରେ ସୋପୋରରେ ସିଆରପିଏଫ୍‌ର ୨୨-ଆର୍‌ଆର୍‌ ଏବଂ ୧୭୯-ବିଏନ୍ ବାଟାଲିୟନ ଦ୍ବାରା ପ୍ରତିଷ୍ଠିତ ସମନ୍ବିତ ଚେକିଂ ପଏଣ୍ଟରେ ଏହି ଆତଙ୍କୀଙ୍କ ମଧ୍ୟରୁ ୩ ଜଣଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଠାବ କରାଯିବା ପରେ ଯାଞ୍ଚ ପାଇଁ ରୋକିବାକୁ ଚେଷ୍ଟା କରିଥିଲେ ସୁରକ୍ଷା ବାହିନୀର ଯବାନ। କିନ୍ତୁ ସେମାନେ ଘଟଣାସ୍ଥଳରୁ ଖସିବାକୁ ଉଦ୍ୟମ କଲା ବେଳେ ସେମାନଙ୍କୁ ଯବାନ କାବୁ କରିଥିଲେ।

ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୨ଟି ପିସ୍ତଲ, ୨ଟି ମାଗାଜିନ ଏବଂ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ ସମେତ କିଛି ଗୁଳିଗୋଳା ଜବତ କରାଯାଇଛି। ଏମାନେ ସ୍ଥାନୀୟ ବାସିନ୍ଦା ଅରାଫତ୍ ମଜିଦ୍, ତାଉସେଫ୍ ଅହମ୍ମଦ ଦାର ଓ ମୋମିନ ନାଜିର ଖାନ ବୋଲି ସ୍ପଷ୍ଟ କରିଛି ପୁଲିସ।

ସେହିଭଳି ବାନ୍ଦିପୋରା ଏବଂ ଏହାର ଆଖପାଖ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ନିର୍ଦ୍ଦିଷ୍ଟ ଇନପୁଟ୍ ପାଇବା ପରେ ବାନ୍ଦିପୋରା ପୋଲିସ୍ ଅନ୍ୟ ୩ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ଏମାନେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ନେଇ ଷଡଯନ୍ତ୍ର ଜାରି ରଖିଥିବା ପୋଲିସ କହିଛି। ଏମାନଙ୍କୁ ଜେରା କରିବା ସହ ଅଧିକ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଛି ପୁଲିସ।