ପୁଲିସ ଓ ଅବକାରୀ ବିଭାଗ ଦ୍ୱାରା ୨୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ,ଏନଏନ୍ଏସ୍: ପୁଲିସ୍ ଓ ଅବାକୀର ବିଭାଗ ପୃଥକ ଘଟଣାରେ ଦିନକରେ ୨୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି। ରବିବାର ବିଳମ୍ବିତ ରାତିରେ ମାଛକୁଣ୍ଡ ପୁଲିସ୍ ଦ୍ୱାରା କାଂଗ୍ରାପଡ଼ା ଜଙ୍ଗଲରୁ ଏକ କାର୍ ସହ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସୂଚନାନୁସାରେ, ଏକ ଗଞ୍ଜେଇ ଭରା କାର୍ କାଂଗ୍ରାପଡ଼ା ଜଙ୍ଗଲରେ ଥିବା ସୂଚନା ମାଛକୁଣ୍ଡ ପୁଲିସକୁ ମିଳିଥିଲା। ପରେ ମାଛକୁଣ୍ଡ ଥାନାଧିକାରୀ ପ୍ରଫୁଲ୍ଲ ଲାକ୍ରାଙ୍କ ନିର୍ଦ୍ଦେଶରେ ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ ଓ ଅନ୍ୟମାନେ କାଂଗ୍ରାପଡ଼ା ଜଙ୍ଗଲରେ ଚଢ଼ଉ କରି ଉକ୍ତ କାରକୁ ଜବତ କରିଥିଲେ ମଧ୍ୟ ଘଟଣାସ୍ଥଳରେ କାହାକୁ ପାଇନଥିଲେ। କାରରୁ ପୁଲିସ୍ ୧୦୧ କିଲୋ ୩୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଥିବାବେଳେ ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇ ମାଛକୁଣ୍ଡ ଅଞ୍ଚଳରୁ ଜୟପୁର ଛତିଶଗଡ଼ ଦେଇ ଦିଲ୍ଲୀକୁ ନିଆଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନଡିପିଏସ୍ ଆକ୍ଟରେ ମାଛକୁଣ୍ଡ ଥାନାରେ ଏକ ମାମଲା ରୁଜୁ କରି ଥାନାଧିକାରୀ ପ୍ରଫୁଲ୍ଲ ଲାକ୍ରା ତଦନ୍ତ କରୁଥିବା ନନ୍ଦପୁର ଏସଡିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ପାଡୁଆ ଅଂଚଳରୁ ଆନ୍ଧ୍ରପ୍ରଦେଶକୁ ଏକ ଯାତ୍ରୀବାହୀ ଅଟୋରିକ୍ସାରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ଡିଏଫଏସ୍ ଇନ୍ସପେକ୍ଟର ଦିଲ୍ଲୀପ ରଥ, ନନ୍ଦପୁର ଅବାକୀର ଓଆଇସି ତ୍ରିନାଥ ଚିନ୍ତାଡ଼ାଙ୍କ ନେତୃତ୍ୱରେ ସମ୍ପୃକ୍ତ ଅଟୋକୁ ଧରିବାକୁ ଯୋଜନା କରାଯାଇଥିଲା। ପାଡୁଆ ଥାନା ବଡ଼ଦେବତା ମନ୍ଦିର ନିକଟରେ ଅଟୋରିକ୍ସାକୁ ଅଟକାଇ ଯାଞ୍ଚ କରିବା ବେଳକୁ ସେଥିରୁ ୧୪୦ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିଲା। ଅବକାରୀ ଟିମ୍ ବିଶାଖାପାଟଣା ଜିଲା ପେଦାବାଇଲୁ ଥାନା ସମପାଙ୍ଗିପୁଟ ଗ୍ରାମର ଅଟୋ ଚାଳକ ପୂଜାରୀ ଗାଙ୍ଗାନାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଶ୍ରୀ ରଥ ସୂଚନା ଦେଇଛନ୍ତି। ଏହି ସମୟରେ ଅବକାରୀ ଏଏସଆଇ ପ୍ରତିମା ବେହେରା, ଅରୋପଲକ ଦାଶ, ସଞ୍ଜୟ ପ୍ରଧାନ, କନେଷ୍ଟବଳ ଅମର ବିଷୋୟୀ, ତ୍ରିଲୋଚନ ରାୟଚେଟ୍ଟୀ, ଦେବେନ୍ଦ୍ର ଖରା, ପ୍ରଶାନ୍ତ ଗୌଡ଼, ଗୀତାଞ୍ଜଳୀ ଦଳପତି, ଆର୍ ଭେଙ୍କେଟ୍ କୁମାର, ରାମଚନ୍ଦ୍ର ଗୌଡ଼ ଓ ପ୍ରଶାନ୍ତ ନାୟକ ସାମିଲ ହୋଇଥିଲେ।