ଆଜିଠୁ ବିଜେପିର ଏକ କୋଟି ସେଲଫି ପ୍ରଚାର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ୨୦୨୪ରେ ଥିବା ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ ଦଳ ସେମାନଙ୍କର ରଣନୀତି ଆପଣେଇଲେଣି । କଂଗ୍ରେସ ପୁଣି ଥରେ ଭାରତଯୋଡ ଯାତ୍ରା ଆରମ୍ଭ କରିବାକୁ ଯୋଜନା କରିଥିବା ବେଳେ ବିଜେପି ମଧ୍ୟ ଏକ ଅଭିନବ ପଦକ୍ଷେପ ଆପଣାଇଛି । ଆଜିଠାରୁ ବିଜେପିର ଏକ କୋଟି ସେଲଫି ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହେବ । ଦେଶର ପ୍ରତ୍ୟେକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯିବା ସହ ଏକ କୋଟି ଲୋକଙ୍କ ସେଲଫି ଗ୍ରହଣ କରାଯିବ ।

ଏନେଇ ବିଜେପି ପକ୍ଷରୁ କୁହାଯାଇଛି ଯେ, “କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନହିତକାରୀ ଯୋଜନାରେ ଉପକୃତ ହେଉଥିବା ଏକ କୋଟି ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଉଜ୍ବଳା ଏବଂ ଆୟୁଷ୍ମାନ ଯୋଜନାର ମହିଳା ହିତାଧିକାରୀଙ୍କୁ ଯୋଡାଯିବ ।”

ଏକ କୋଟି ଲୋକଙ୍କ ସେଲଫି ଗ୍ରହଣ କରିବାକୁ ଲକ୍ଷ୍ୟ: ଏହି କାର୍ଯ୍ୟକ୍ରମ ଦେଶର ପ୍ରତ୍ୟକ ଜିଲ୍ଲାରେ ଆରମ୍ଭ କରାଯିବ । ଦଳୀୟ ସୁତ୍ର ଅନୁସାରେ, ସେଲଫି ଅଭିଯାନ ଜରିଆରେ ଦଳ ସିଧାସଳଖ ଭାବେ ହିତାଧିକାରୀଙ୍କ ସହ ଯୋଡି ହେବ । ପୂରା ଅଭିଯାନକୁ ଏକ ଆପ ଦ୍ବାରା ଯୋଡାଯିବ । ଦଳର ମହିଳା କାର୍ଯ୍ୟକର୍ତ୍ତାମାନେ ପ୍ରତ୍ୟେକ ଜିଲ୍ଲାର ହିତାଧିକାରୀଙ୍କୁ ସେଲଫି ନେବା ସହ ତଥ୍ୟ ଅପଲୋଡ କରିବା ପାଇଁ ଅବଗତ କରାଇବେ ।