ଆଜି ୫ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଦେଶବାସୀଙ୍କୁ ଇଣ୍ଟରନେଟ କ୍ଷେତ୍ରରେ ମିଳିବ ନୂଆ ଅଭିଜ୍ଞତା

ନୂଆଦିଲ୍ଲୀ,ଏଜେନ୍ସି: ଅତ୍ୟାଧୁନିକ ଯୁଗର ସବୁଠାରୁ ଦ୍ରୁତଗତିରେ ଇଣ୍ଟରନେଟ ସେବା ଯୋଗାଇପାରୁଥିବା ମାଧ୍ୟମ ‘୫ଜି ସେବା’ ଖୁବ ଶୀଘ୍ର ଭାରତରେ ଶୁଭାରମ୍ଭ ହେବାକୁ ଯାଉଛି । ଆଉ ଅଳ୍ପ କିଛି ଘଣ୍ଟା ପରେ ଆମେ ୪ଜିରୁ ଅପଗ୍ରେଡ ହୋଇ ୫ଜି ସେବାରେ ପହଂଚିବା । ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଅକ୍ଟୋବର ୧) ତାରିଖରେ ଇଣ୍ଡିଆନ ମୋବାଇଲ କଂଗ୍ରେସରେ ୫ଜି ସେବା ଶୁଭାରମ୍ଭ କରିବେ । ଏଥି ସହିତ ଇଣ୍ଡିଆନ ମୋବାଇଲ କଂଗ୍ରେସର ମଧ୍ୟ ଆରମ୍ଭ ହୋଇଯିବ ।

ଇଣ୍ଡିଆନ ମୋବାଇଲ କଂଗ୍ରେସ ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏଥିରେ ୫ଜି ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମର ଆୟୋଜନ ହେବ । ମାତ୍ର ଏଥର ଆଇଏମ୍‌ସି-୨୦୨୨ ୫ଜି କାରଣରୁ ସବୁଠାରୁ ସ୍ୱତନ୍ତ୍ର ହେବ । ପ୍ରଧାନମନ୍ତ୍ରୀ ମୋଦୀ ଆଜି ପୂର୍ବାହ୍ନ ୧୦ଟାରେ ୫ଜି ସେବାର ଶୁଭାରମ୍ଭ କରିବେ ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଏଥି ସହିତ ଜିଓ ଏବଂ ଏୟାରଟେଲର ମଧ୍ୟ ୫ଜି ସେବା ଆରମ୍ଭ ହୋଇଯିବ ।