କଶ୍ମୀରରେ ୫ ଆତଙ୍କବାଦୀ ନିହତ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫ୍‌ତିଙ୍କୁ ଗୃହବନ୍ଦୀ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମହବୁବା ମୁଫତିଙ୍କୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ଗୃହବନ୍ଦୀ କରି ଦିଆଯାଇଛି। ଘାଟିରେ ବର୍ଦ୍ଧିତ ଆତଙ୍କବାଦୀ ଘଟଣା ଏବଂ ସୁରକ୍ଷାବଳଙ୍କ ଲଗାତାର ଏନକାଉଣ୍ଟର ମଧ୍ୟରେ ସ୍ଥାନୀୟ ପ୍ରଶାସନ ଏଭଳି ଏକ ବଡ଼ ପଦକ୍ଷେପ ନେଇଛି। ମହବୁବା ମୁଫ୍‌ତି କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଗତ ସୋମବାର ହୋଇଥିବା ଏନକାଉଣ୍ଟରରେ କିଛି ଆତଙ୍କବାଦୀ ନିହତ ହୋଇଥିଲେ। ସେହି ସମୟରେ ମୁଫ୍‌ତି କହିଥିଲେ ଯେ, ଘାଟିରେ ଆତଙ୍କବାଦୀଙ୍କୁ ନିହତ କରାଯାଉଛି କି ନାହିଁ, ଏହା କେହି ଜାଣୁନାହାନ୍ତି। ସେ ଦାବି କରିଥିଲେ ଯେ, ସୋମବାର ଏନକାଉଣ୍ଟରରେ ୩ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ସେ କହିଥିଲେ ଯେ, ଘାଟିରେ ଉଗ୍ରବାଦୀ ନାମରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉଛି।

ଏହା ପୂର୍ବରୁ ମଧ୍ୟ ଘାଟୀରେ ଯେତେବେଳେ ସୁରକ୍ଷା କର୍ମୀଙ୍କ ସଂଖ୍ୟା ବଢ଼ାଇ ଦିଆଯାଇଥିଲା, ମୁଫ୍‌ତି ତୀବ୍ର ନିନ୍ଦା କରିଥିଲେ। ସେ କହିଥିଲେ ଯେ, ସରକାର ସେନା ସରକାର ସେନାର ଉପସ୍ଥିତିକୁ ବଢ଼ାଇ ଛାଉଣୀରେ ପରିଣତ କରିବାକୁ ଚାହୁଁଛନ୍ତି। ମୁଫ୍‌ତିଙ୍କର ଏହି ବୟାନ ପରେ ସରକାର କଡ଼ା ପଦକ୍ଷେପ ନେଇଛନ୍ତି।