ଧନଖରଙ୍କୁ ଶୁଭେଚ୍ଛାର ସୁଅ: ବାସଭବନରେ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ୧୪ ତମ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ପ୍ରାର୍ଥୀ ଜଗଦୀପ ଧନଖର। ବିଜୟୀ ହେବା ପରେ ଧନଖରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପ୍ରମୁଖ ଧନଖରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନଖରଙ୍କ ବାସଭନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ଜି ନଡ୍ଡା ମଧ୍ୟ ଧନଖରଙ୍କୁ ବାସଭବନରେ ସାକ୍ଷାତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଧନଖରଙ୍କ ପ୍ରତିଦ୍ବନ୍ଦୀ ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମିଳିତ ବିରୋଧୀ ମଞ୍ଚର ପ୍ରାର୍ଥୀ ମାର୍ଗରେଟ ଅଲଭା ମଧ୍ୟ ସଫଳ କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିରୋଧୀ ଦଳ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଧନଖରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କଂଗ୍ରେସ ପ୍ରସ୍ତାବିତ ମିଳିତ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ପରାଜିତ କରି ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଏନ୍‌ଡିଏ ପ୍ରାର୍ଥୀ ଧନଖର, ୭୨.୮ ପ୍ରତିଶତ ସହ ମୋଟ ୫୨୮ ଖଣ୍ଡ ଭୋଟ ହାସଲ କରିଛନ୍ତି। ସେହିପରି ତାଙ୍କ ପ୍ରତିପକ୍ଷ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ମିଳିଛି ୨୫.୧ ପ୍ରତିଶତ ସହ ମାତ୍ର ୧୮୨ ଖଣ୍ଡ ଭୋଟ। ଚଳିତମାସ ୧୦ ତାରିଖରେ ବିଦାୟୀ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି। ପରଦିନ ଅର୍ଥାତ ୧୧ ତାରିଖରେ ଦେଶର ନୂତନ ତଥା ୧୪ ତମ ଉପ ରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖର।