ଟି-୨୦: ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଉପରେ ବଡ଼ ବିଜୟ, ଶୃଙ୍ଖଳାରେ ୩-୧ରେ ଅଗ୍ରଣୀ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ଶୃଙ୍ଖଳାର ୪ର୍ଥ ମ୍ୟାଚ ଖେଳାଯାଇଛି । ଫ୍ଲୋରିଡାର ଲାଉଡେରହିଲରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତର ୫୯ ରନ୍‌ରେ ବିଜୟୀ ହୋଇଛି । ଏହି ଶୃଙ୍ଖଳାର ଆଉ ଗୋଟିଏ ମ୍ୟାଚ ବାକି ଥିବା ବେଳେ ଭାରତ ୩-୧ରେ ଶୃଙ୍ଖଳାରେ ଅଗ୍ରଣୀ ରହିଛି । ଆଜି ଶୃଙ୍ଖଳାର ଅନ୍ତିମ ମୁକାବିଲା ହେବ ।

ଶନିବାର ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ ୧୯୧ ରନ୍ କରିଥିଲା । ଫଳରେ ଘରୋଇ ୱେଷ୍ଟଇଣ୍ଡିଜ ଟିମ୍‌କୁ ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୪ ରନ୍ କରିଥିଲେ । ଅଧିନାୟକ ରୋହିତ ଶର୍ମା ୩୩ ରନ୍‌, ସଂଜୁ ସାମସନ ୩୦ ରନ୍ ସୂର୍ଯ୍ୟକୁମାର ଯାଦବ ୨୪ ରନ୍ ଓ ଦୀପକ ହୁଡା ବ୍ୟକ୍ତିଗତ ଭାବେ ୨୧ ରନ୍ କରିଥିଲେ ।

ଜବାବରେ ୱେଷ୍ଟଇଣ୍ଡିଜ ୧୯.୧ ଓଭରରେ ସମସ୍ତ ୱିକେଟ ହରାଇଥିଲା । ନିଜ ମାଟିରେ ଦଳ ୧୩୨ ରନ୍‌ରେ ଅଟକି ଯାଇଥିଲା । ନିକୋଲାସ ପୂରନ ଓ ରୋଭମ୍ୟାନ ପୋୱେଲ ବ୍ୟକ୍ତିଗତ ଭାବେ ୨୪-୨୪ ରନ୍ ସଂଗ୍ରହ କରିଥିଲେ । ସିମରନ ହେଟମେୟର ୧୯ ରନ୍ ଯୋଡ଼ିଥିଲେ । ଓପରନ ବ୍ରାଣ୍ଡନ କିଙ୍ଗ (୧୩ ରନ୍‌) ଓ କାଏଲ ମେୟର୍ସ (୧୪ ରନ୍‌)ଙ୍କ ବ୍ୟାଟ ମଧ୍ୟ ଚାଲି ନଥିଲା । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଆଭେସ ଖାନ, ଅକ୍ଷର ପଟେଲ ଓ ରବି ବିଷ୍ନୋୟୀଙ୍କୁ ୨-୨ ୱିକେଟ ମିଳିଥିଲା ।