ସଂସ୍କୃତିକୁ ସମୃଦ୍ଧ କରେ ସଂସ୍କୃତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାଂସ୍କୃତିକ ବନ୍ଧନ ସୁଦୃଢ଼ କରିବାରେ ସଂସ୍କୃତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେଣୁ ସଂସ୍କୃତି ଭାଷାର ଅଧିକ ବ୍ୟବହାର ପାଇଁ ଦେଶବାସୀଙ୍କୁ ମନ୍ କି ବାତ୍ ମାଧ୍ୟମରେ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ସଂସ୍କୃତକୁ ଜନପ୍ରିୟ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିଷୟରେ ଜାଣିବାକୁ ଚାହୁଁଥିଲେ, ‘ସେଲିବ୍ରେଟିଂ ସାଂସ୍‌କ୍ରିଟ୍‌’ ବ୍ୟବହାର କରି ସାମାଜିକ ଗଣମାଧ୍ୟମରେ ସେମାନଙ୍କ ସମ୍ବନ୍ଧରେ ଲେଖିବା ଆରମ୍ଭ କରନ୍ତୁ। ରେଡିଓରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ୮୦ତମ ମନ୍ କି ବାତ୍ କାର୍ୟ୍ୟକ୍ରମରେ କିମ୍ବଦନ୍ତୀ ପୁରୁଷ ହକି ତାରକା ମେଜର ଧ୍ୟାନ ଚାନ୍ଦଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୋଦି। ଦେଶବାସୀଙ୍କୁ ଜାତୀୟ କ୍ରୀଡା ଦିବସର ଶୁଭେଚ୍ଛା ଦେଇଛନ୍ତି।

ଏଥିସହ ନିକଟରେ ଅନୁଷ୍ଠିତ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ପ୍ରଦର୍ଶନକୁ ବେଶ୍ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତି ପଦକର ଗୁରୁତ୍ବ ରହିଛି। ଯଦି ଧ୍ୟାନ୍ ଚାନ୍ଦ ଥାଆନ୍ତେ ତେବେ ୪୦ ବର୍ଷ ପରେ ହକିରେ ଭାରତ ଅଲିମ୍ପିକ୍ସ ବିଜୟରେ ଖୁବ୍ ଆନନ୍ଦିତ ହୋଇଥାନ୍ତେ। ଗ୍ରାମ, ନଗର, ସହରରେ ଥିବା କ୍ରୀଡ଼ାକ୍ଷେତ୍ରକୁ ସମର୍ଥନ ଜଣାଇବା ଉଚିତ୍ । ସମସ୍ତଙ୍କ ଭାଗିଦାରୀ ଦ୍ବାରା ହିଁ ଭାରତ କ୍ରୀଡ଼ା କ୍ଷେତ୍ରରେ ଶିଖରକୁ ସ୍ପର୍ଶ କରି ପାରିବ। ସେହିପରି ଦେଶବାସୀଙ୍କୁ ଜନମାଷ୍ଟମୀର ଶୁଭେଚ୍ଛା ଜଣାଇ ଇସ୍କନ୍‌ରେ କାର୍ଯ୍ୟରତ ଆମେରିକୀୟ ନାଗରିକ ଯଦୁରାଣୀ ଦାସୀଙ୍କ ସହ ହୋଇଥିବା ସାକ୍ଷାତ୍‌ କଥା ମଧ୍ୟ ସ୍ମରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ବି ଆମେ ‘ସ୍ବଚ୍ଛ ଭାରତ’ କଥା କହୁ, ଇନ୍ଦୋର ନାଁ ଆପଣାଛାଏଁ ମନକୁ ଆସିଯାଏ। ସ୍ବଚ୍ଛ ଭାରତରେ ଇନ୍ଦୋର୍‌ ପ୍ରଥମ ସ୍ଥାନରେ ରହିଛି। କିନ୍ତୁ, ଇନ୍ଦୋରବାସୀ ସେତିକିରେ ସନ୍ତୁଷ୍ଟ ନୁହନ୍ତି। ସେମାନେ ଏହାକୁ ଦେଶର ପ୍ରଥମ ‘ୱାଟର୍‌ ପ୍ଲସ୍‌ ସିଟି’ କରିବାରେ ଲାଗିପଡ଼ିଛନ୍ତି। ଏଥିପାଇଁ ଇନ୍ଦୋରବାସୀଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ମୋଦି।

ସେହିପରି ପୂର୍ବପରି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ଯୁବକଙ୍କ ଦକ୍ଷତା ଉପରେ ଗୁରୁତ୍ବାରୋପ କରିଛନ୍ତି । ବର୍ତ୍ତମାନର ଯୁବପିଢି ଗତାନୁଗତିକ ଚିନ୍ତାଧାରା ଉପରେ ବିଶ୍ବାସର କରନ୍ତି ନାହିଁ ବୋଲି ସେ କହିଛନ୍ତି । ମହାକାଶ କ୍ଷେତ୍ରରେ ଭାରତର ସଂସ୍କାର ମଧ୍ୟ ଯୁବକର କଳ୍ପନାକୁ ଅକ୍ତିଆର କରିଛି । ତରୁଣ ହେଉ କି, ତରୁଣୀ, ଯେକୌଣସି ଯୁବାଙ୍କୁ କ’ଣ କରିବ ବୋଲି ପଚାରିଲେ ସମସ୍ତଙ୍କର ଉତ୍ତର ଏକା ଆସୁଛି । ତାହା ହେଲା, ନୂଆ କିଛି କରି ଦେଖାଇବୁ । ଆମ ଦେଶରେ ମଧ୍ୟ ଯୁବପିଢିକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ମାଧ୍ୟମ ରହିଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏବେ ‘ମନ୍‌କି ବାତ୍‌’ କେବଳ ଭାରତ ମଧ୍ୟରେ ସୀମିତ ହୋଇ ନାହିଁ, ସମଗ୍ର ବିଶ୍ବର ଲୋକେ ଏବେ ଏ ବିଷୟରେ ଚର୍ଚ୍ଚା କରୁଛନ୍ତି । ବିଦେଶରେ ବସବାସ କରୁଥିବା ଭାରତୀୟମାନଙ୍କ ଠାରୁ ମୁଁ ଖବର ପାଇଛି ବୋଲି ମୋଦି କହିଛନ୍ତି ।