ଆଜି କୁଶିନଗର ଯିବେ ମୋଦୀ, ଉଦଘାଟନ କରିବେ ଅନ୍ତର୍ଜାତୀୟ ବିମାନବନ୍ଦର

ଲକ୍ଷ୍ନୌ,ଏଜେନ୍ସି: ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ କୁଶିନଗର ଗସ୍ତ କରିବେ। ଏହି ଗସ୍ତ ଅବସରରେ ମୋଦୀ କୁଶିନଗରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭେଟି ଦେବେ। କୁଶିନଗରରେ ଇଣ୍ଚରନ୍ୟାସନାଲ ଏୟାରପୋର୍ଟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଉଦଘାଟନୀ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ। ଏହି ବିମାନବନ୍ଦର ପ୍ରତିଷ୍ଠା ହେବା ଦ୍ୱାରା ଅଞ୍ଚଳର ପର୍ଯ୍ୟଟନ ଶିଳ୍ପ ସୁଦୃଢ ହୋଇପାରିବ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଆଜି ମୋଦୀ କୁଶିନଗରରେ ଏୟାରପୋର୍ଟ ଉଦଘାଟନ କରିବା ପରେ ମହାପରିନିର୍ବାଣ ମନ୍ଦିର ପରିଦର୍ଶନ କରିବେ ଏବଂ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଅପରାହ୍ଣରେ ପ୍ରଧାନମନ୍ତ୍ରୀ ଜିଲ୍ଲାକୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଭେଟି ଦେବାର କାର୍ଯ୍ୟକ୍ରମ ଥିବା ମଧ୍ୟ କୁହଯାଇଛି। ଉଲ୍ଲେଖଯୋଗ୍ୟ, କୁଶିନଗର ବୌଦ୍ଧ ସର୍କିଟ ପରିସରରେ ଆସୁଛି। ଏହି ସର୍କିଟରେ ଗୌତମ ବୁଦ୍ଧଙ୍କ ପବିତ୍ର ଜନ୍ମସ୍ଥଳ ନେପାଳର ଲୁମ୍ବିନୀରୁ ଆରମ୍ଭ କରି ବିହାର ବୌଦ୍ଧ ଗୟା ଯାଏଁ ଅନ୍ତର୍ଭୁକ୍ତ ରହିଛି।

କୁଶିନଗର ଜିଲ୍ଲାରେ ତିନୋଟି ପ୍ରମୁଖ ବୌଦ୍ଧସ୍ଥଳୀ ଅଛି। ବୁଦ୍ଧଙ୍କ ପରିନିର୍ବାଣ ମନ୍ଦିର ରହିଛି ଏବଂ ଏହା ପଛକୁ ଏକ ସ୍ତୁପ ମଧ୍ୟ ଅଛି, ଯାହାକୁ ପରିନିର୍ବାଣ ସ୍ତୁପ କୁହାଯାଉଛି। ରାମାଭାର ସ୍ତୁପ ଏବଂ ମାଥାକୁମ୍ବର ମନ୍ଦିର ମଧ୍ୟ ବୌଦ୍ଧ ଆସ୍ଥାର କେନ୍ଦ୍ରସ୍ଥଳୀ ଅଟେ। ଏହାବ୍ୟତୀତ ଏଠାରେ ଚୀନୀ ମନ୍ଦିର, ବୁଦ୍ଧ ମନ୍ଦିର, ଜାପାନୀ ମନ୍ଦିର ଭଳି ସ୍ଥଳ ରହିଛି ଯାହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟେ। କୁଶିନଗରରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ହେଲେ ଦେଶବିଦେଶରୁ ବହୁସଂଖ୍ୟକ ବୌଦ୍ଧ ଧର୍ମାବଲମ୍ବୀ ଏଠାକୁ ଆସିବାରେ ସହଜ ହେବ।