କେରଳରେ ପ୍ରକୃତିର ତାଣ୍ଡବ: ୩୯ ଛୁଇଁଲା ମୃତ୍ୟୁ ସଂଖ୍ୟା, ପୁଣି ୨ ଦିନ ସତର୍କ ସୂଚନା

ଥୀରୁଅନନ୍ତପୁରମ,ଏଜେନ୍ସି: କେରଳରେ ମୃତ୍ୟୁର ବିଭୀଷିକା ରଚିଛି ବନ୍ୟା। ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ନେଲାଣି ଏକାଧିକ ଜୀବନ। ଗତ ୨/୩ ଦିନ ମଧ୍ୟରେ କେରଳରେ ମୃତ୍ୟୁ ସଂଖ୍ୟା ୩୯ରେ ପହଞ୍ଚିଛି। ନଦୀକୂଳ ଏବଂ ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

କୋଲାମ, ଅଲପୁଜାହା ଏବଂ କସରଗୋଡକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ଥିବାବେଳେ ବାକି ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମତ୍ସ୍ୟଜୀବୀଙ୍କୁ ଶୁକ୍ରବାର ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଇଡୁକ୍କି ସମେତ ବିଭିନ୍ନ ଡ୍ୟାମ ଖୋଲାଯାଇଥିବାରୁ ଅତ୍ୟଧିକ ସତର୍କତା ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ଜିଲ୍ଲା ସଂଗ୍ରହକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ବର୍ଷା ଥିବା ଅଞ୍ଚଳରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ପାହାଡ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି।

ରାଜସ୍ୱ ମନ୍ତ୍ରୀ କେ ରାଜନ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟରେ ୧୨ଟି ଏନଡିଆରଏଫ୍ ଦଳ ନିୟୋଜିତ ହୋଇଛନ୍ତି। ବାୟୁସେନା ଏବଂ ନୌସେନାର ସହାୟତା ମଧ୍ୟ ମଗାଯାଇଛି।