ରାଜ୍ୟରେ ପୁଣି ଫିରିଲା ମାସ୍କ, ସମସ୍ତ ଡାକ୍ତରଖାନାରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ବର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ କ୍ରମାଗତ ଭାବେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ୫୦୦ ସଂକ୍ରମଣ ସଂଖ୍ୟା ପାର ହୋଇଛି। ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ମାସ୍କ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାସ୍କ ବ୍ୟବହାରକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ, ସ୍ଵାସ୍ଥ୍ୟ ଅଧିକାରୀ, ଲାବୋରେଟୋରୀ ସେବା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ସହ ହସ୍ପିଟାଲରେ ସମସ୍ତ ବିଭାଗର କାମ କରୁଥିବା ସ୍ୱାସ୍ଥ୍ୟ କର୍ମୀମାନେ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ରାଜ୍ୟରେ ପୁଣି ଉପରମୁହାଁ କୋରୋନା ଗ୍ରାଫ । ଗତ କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି । ବିଶେଷ ଭାବରେ ସୀମାବର୍ତ୍ତି ଅଞ୍ଚଳରେ ଥିବା ଜିଲ୍ଲା ଗୁଡିକରେ ସଂକ୍ରମଣ ଅଧିକ ଦେଖିବାକୁ ମିଳୁଛି । ନବରଙ୍ଗପୁର, ସମ୍ବଲପୁର, ନୂଆପଡାରେ କୋଭିଡ ସଂକ୍ରମଣ ଅଧିକ ମାତ୍ରାରେ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି । ହୋମ ଆଇସୋଲେସନରେ ଥିବା ସଂକ୍ରମିତଙ୍କୁ ମନିଟରିଂ କରାଯାଉଛି । ଯାହା ଫଳରେ ରାଜ୍ୟରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିମଧ୍ୟରୁ ଅଧିକାଂଶ ହୋମ ଆଇସୋଲେସନରେ ରହିଛନ୍ତି । ପ୍ରାୟ ୩୦ରୁ ଅଧିକ ସଂକ୍ରମିତ ହସ୍ପିଟାଲରେ ରହିଛନ୍ତି ।

ତେବେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି । ଲକ୍ଷଣ ଦେଖାଗଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ହସ୍ପିଟାଲରେ ବେଡ଼ ପ୍ରସ୍ତୁତ ରଖିବା, ଭେଣ୍ଟିଲେଟର, ଅକ୍ସିଜେନ, ଆଇସିୟୁ ବେଡ଼ , ଟେଷ୍ଟ କୀଟ, ଆଦି ସ୍ଥିତି ଅନୁଧ୍ୟାନ କରାଯାଇଛି । ସମସ୍ତ ଜିଲ୍ଲାରେ ଜିଲ୍ଲପାଳଙ୍କ ତତ୍ତ୍ଵାବଧାନରେ ଏହା ସମସ୍ତ ସମୀକ୍ଷା କରାଯାଇଛି । ଟେଷ୍ଟ, ଟ୍ରାକିଂ, ଟୀକାକରଣ, ଚିକିତ୍ସା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । ତେବେ ରାଜ୍ୟରେ କମ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଯେଉଁମାନଙ୍କର ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଆଇସୋଲେଟ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଯିଏ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ସହ ଯେଉଁମାନେ ମିଳାମିଶା କରୁଛନ୍ତି ସେମାନେ ମଧ୍ୟ ପରୀକ୍ଷା କରିବା ଆବଶ୍ୟକ ବୋଲି କୁହାଯାଇଛି ।