ଓଡିଶା ହକି ଦଳର ନୂଆ କୋଚ ହେଲେ ଏଡଗର ମାସ୍କରେନହାସ

ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡିଶା ଉଭୟ ମହିଳା ଓ ପୁରୁଷ ହକି ଦଳକୁ ମିଳିଲେ ନୂଆ ପ୍ରଶିକ୍ଷକ। ଓଡିଶା ହକି ଦଳର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଏଫଆଇଏଚ ଲେଭଲ-୨ ମାନପତ୍ର ଧାରୀ ଏଡଗର ମାସ୍କରେନହାସ ନୂଆ କୋଚ ଭାବରେ ନିଯୁକ୍ତ ହୋଇଛନ୍ତି। ହକି ଇଣ୍ଡିଆ ପକ୍ଷରୁ ହେବାକୁ ଥିବା ଆଗାମୀ ଜାତୀୟ ପ୍ରକିଯୋଗିତା ପୂର୍ବରୁ ମୁମ୍ବାଇର ମାସ୍କରେନହାସଙ୍କୁ ଏହି ନିଯୁକ୍ତି ମିଳିଛି।

ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଜଣେ ଗୋଲକିପର ଭାବେ ଏୟାର ଇଣ୍ଡିଆ, ମହାରାଷ୍ଟ୍ର ଓ ଭାରତୀୟ ଦଳ ପକ୍ଷରୁ ଖେଳିବାର ଅଭିଜ୍ଞତା ରଖିଛନ୍ତି ମାସ୍କରେନହାସ। ୧୯୯୫ ସାଫ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ସେହିପରି ୧୯୯୬ ଅଲିମ୍ପିକ୍ସ କ୍ବାଲିଫାୟର ଏବଂ ଇନ୍ଦିରା ଗାନ୍ଧୀ ଗୋଲ୍ଡ କପରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳ ପକ୍ଷରୁ ସେ ଖେଳିଥିଲେ।

୨୦୧୯ରେ ଏଫଆଇଏଚର ଲେଭଲ-୨ କୋଚ ପ୍ରମାଣପତ୍ର ପାଇଥିଲେ ମାସ୍କରେନହାସ। ୨୦୧୭, ୨୦୧୯ ଓ ୨୦୨୧ ଜାତୀୟ ପ୍ରତିଯୋଗୀତା ପାଇଁ ସେ ମହାରାଷ୍ଟ୍ର ସିନିୟର ଦଳର କୋଚ ଥିଲେ। ତାଙ୍କ ପ୍ରଶିକ୍ଷଣରେ ମହାରାଷ୍ଟ୍ର ୨ ଥର କ୍ବାର୍ଟର ଫାଇନାଲ ଏବଂ ଥରେ ସେମିଫାଇନାଲ ଖେଳିଛି।

ଓଡିଶାରେ ହକି ଏକ ଅନ୍ୟତମ ପ୍ରମୁଖ କ୍ରୀଡା। ଏହାର ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ। ତେବେ ଡଗର ମାସ୍କରେନହାସଙ୍କ ପ୍ରଶିକ୍ଷଣରେ ଓଡିଶା ହକି ଭିନ୍ନ ଏକ ସୋପାନକୁ ଯାଇ ପାରିବ ବୋଲି ଆଶା କରାଯାଉଛି।