ଆଜି ଜି୭ ସମ୍ମିଳନୀରେ ଯୋଗଦେବେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଦୁଇ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଜର୍ମାନୀ ଗସ୍ତ କରିଛନ୍ତି। ଏନେଇ ଜର୍ମାନୀର ଚାନସେଲର ଓଲାଫ ସ୍କୋଲେଜ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ। ଆଜି ହେବାକୁ ଥିବା ସମ୍ମିଳନୀରେ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ, ଲିଙ୍ଗଗତ ସମାନତା ଏବଂ ଗଣତନ୍ତ୍ର ଉପରେ ଆୟୋଜିତ ଦୁଇଟି ଅଧିବେଶନକୁ ସମ୍ବୋଧିତ କରିବେ।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅନ୍ତର୍ଜାତୀୟ ସହଯୋଗକୁ ମଜବୁତ କରିବାକୁ ଏକ ପ୍ରୟାସରେ ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗାଲ ଏବଂ ଦକ୍ଷିଣ ଆଫ୍ରିକା ଭଳି ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ମାନେ ମଧ୍ୟ ସାମିଲ ହେବେ। ହେବାକୁ ଥିବା ଶିଖର ସମ୍ମିଳନୀପରେ ପ୍ରଧାନମନ୍ତ୍ରୀ କିଛି ଅଂଶଗ୍ରହଣକାରୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଶେଷ ଥର ପାଇଁ ଭାରତ-ଜର୍ମାନୀ ଆନ୍ତଃସରକାରୀ ପରାମର୍ଶ (ଆଇଜିସି) ଷଷ୍ଠ ସଂସ୍କରଣରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ୨ ମେ ୨୦୨୨ରେ ଜର୍ମାନୀ ଗସ୍ତରେ ଯାଇଥିଲେ।

ସେହିପରି ଜି୭ ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ୨୮ ଜୁନରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯିବେ। ସେଠାରେ ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖଲିଫା ବିଲ ଜାୟେଦ ଅଲ ନାହ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାବାଦ ପ୍ରଧାନମନ୍ତ୍ରୀ ୟୁଏଇର ନୂତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କୁ ଶୁଭେଚ୍ଛା ଜଣାଇବେ। ପ୍ରଧାନମନ୍ତ୍ରୀ ସେହି ଦିନ ଭାରତ ପ୍ରତ୍ୟାବର୍ତ୍ତନ କରିବେ।