ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର,ଏଜେନ୍ସି: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଲେଖାଏଁ ଟଙ୍କା ଟ୍ରାନ୍ସଫର ହୋଇଛି। ଏହି ଅବସରରେ ଓଡ଼ିଶା ସମେତ ୬ଟି ରାଜ୍ୟର ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି।

ଏହି ଅବସରରେ ନୂଆପଡ଼ା ଜିଲ୍ଲାର ଚାଷୀ ନବୀନ ଠାକୁରଙ୍କ ସହ କଥା ହୋଇଛନ୍ତି ମୋଦୀ। ପିଏମ କିଷାନ ଯୋଜନା ସହ କିଷାନ କ୍ରେଡିଟ୍ କାର୍ଡ ଦ୍ୱାରା ନବୀନ କିପରି ଉପକୃତ ହୋଇଛନ୍ତି ସେ ନେଇ ଆଲୋଚନା କରିଥିଲେ। ପୂର୍ବରୁ ସାହୁକାରଙ୍କ ଠାରୁ ଋଣ ଆଣି ଚାଷୀ କରଜରେ ବୁଡ଼ି ରହୁଥିଲେ। ତେବେ କିଷାନ କ୍ରେଡିଟ୍ କାର୍ଡ ଦ୍ୱାରା କମ୍ ସୁଦ୍ଧରେ ଚାଷୀ ଋଣ ଆଣି ଉପକୃତ ହେଉଥିବା ନବୀନ କହିଥିଲେ। ଆଗକୁ ଏପରି ଋଣ ଆଣିବା ଲାଗି ଅନ୍ୟ ଚାଷୀମାନଙ୍କୁ ପ୍ରେରଣା ଦେବାକୁ ପ୍ରଧାନମନ୍ତ୍ରୀ ନବୀନଙ୍କୁ କହିଥିଲେ।

ଅନ୍ୟପଟେ ଚାଷୀ ଆଇନକୁ ନେଇ ଆନ୍ଦୋଳନ ଜାରିରହିଛି। ଚାଷୀ ସଂଗଠନଗୁଡ଼ିକ କହିଛନ୍ତି, ସରକାର ଆମ ଦାବିକୁ ଗୁରୁତ୍ୱ ଦେଉ ନାହାନ୍ତି କି ଏଥି ପ୍ରତି ଗମ୍ଭୀର ନୁହଁନ୍ତି। ଯଦି ସରକାର ଆଇନ ପ୍ରତ୍ୟାହାର ପାଇଁ ରାଜି ନ ହୁଅନ୍ତି, ଆଲୋଚନାର କିଛି ମୂଲ୍ୟ ନାହିଁ। ଆଜି ଚାଷୀ ସଂଗଠନଗୁଡ଼ିକ ନିଜ ନିଜ ଭିତରେ ଆଲୋଚନା କରିବେ ଏବଂ ଆନୁଷ୍ଠାନିକ ଭାବେ ସେମାନଙ୍କ ଉତ୍ତର ସରକାରଙ୍କୁ ଅବଗତ କରାଇବେ।