ଆମ୍ବୁଲାନ୍ସ ପାଇଁ ଅଟକିଲା ମୋଦୀଙ୍କ ଗାଡ଼ି

ଗୁଜରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଗୁଜରାଟ ଗସ୍ତରେ ଅଛନ୍ତି । ଆଉ ଏହି ସମୟରେ ମୋଦୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଅହମ୍ମଦାବାଦର ଗାନ୍ଧୀନଗରରେ ଏକ ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ମୋଦୀଙ୍କ ଗାଡ଼ି ସେଠାରେ କିଛି ସମୟ ଅଟକିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିବା ପାଇଁ ଗାନ୍ଧୀନଗର ପହଞ୍ଚିଥିଲେ । ସେଠାରେ ସବୁଜ ସଙ୍କେତ ଦେଖାଇବା ପରେ ମୋଦୀ ଏହି ଟ୍ରେନରେ ବସି ଅହମ୍ମଦାବାଦର କାଳୁପୁର ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଏହି ସମୟରେ ମୋଦୀ ଯାତ୍ରୀଙ୍କ ସହ କଥା ମଧ୍ୟ ହୋଇଥିଲେ । ଏହି ଟ୍ରେନ ଗାନ୍ଧୀନଗରରୁ ମୁମ୍ବାଇ ମଧ୍ୟରେ ଚାଲିବ । ଏହାପୂର୍ବରୁ ମୋଦୀ ୨୦୧୯ରେ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଥିଲେ ।