୨୦୨୪ ସୁଦ୍ଧା ସମସ୍ତ ରାଜ୍ୟରେ ଖୋଲିବ ଏନ୍‌ଆଇଏ, ଓଡ଼ିଶାରେ ମଧ୍ୟ ଏହାର ଶାଖା ଖୋଲିବ…

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ରେ ଭାଗ ନେଇଛନ୍ତି । ଦୁଇଦିନିଆ ଚିନ୍ତନ ଶିବିରରେ ଭାଗ ନେବା ପାଇଁ ସମସ୍ତ ରାଜ୍ୟର ଗୃହମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଉପରାଜ୍ୟପାଳ ଓ ପ୍ରଶାସକଙ୍କୁ ଆମନ୍ତ୍ରିତ କରାଯାଇଥିବାବେଳେ ରାଜ୍ୟର ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଏବଂ କେନ୍ଦ୍ରୀୟ ପୁଲିସ ସଙ୍ଗଠନର ମହାନିର୍ଦ୍ଦେଶକ ମଧ୍ୟ ଚିନ୍ତନ ଶିବିରରେ ଭାଗ ନେଇଛନ୍ତି। ତେବେ ଆଜି ଚିନ୍ତନ ଶିବିରରେ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଏହା ଆରମ୍ଭ କରିଥିଲେ। ଅପରାଧକୁ ରୋକିବା ଏହାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଆମେ ସମସ୍ତେ ମିଶି କିଭଳି ଅପରାଧକୁ ରୋକିପାରିବା ସେଥିପାଇଁ ମାନସମନ୍ଥନ କରିବାକୁ ଚିନ୍ତନ ଶିବିରର ଆୟୋଜନ କରାଯାଉଛି।

ତେବେ ଶାହା କହିଛନ୍ତି ଯେ ୨୦୨୪ ସୁଦ୍ଧା ପ୍ରତ୍ୟେକ ରାଜ୍ୟରେ ଏନଆଇଏ(ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି) କାର୍ଯ୍ୟାଳୟ ରହିବ। ଅର୍ଥାତ ଓଡିଶା ଭଳି ଯେଉଁ ସବୁ ରାଜ୍ୟରେ ଏନଆଇଏ କାର୍ଯ୍ୟାଳୟ ନାହିଁ ସେଠାରେ ଜାତୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟ ଖୋଲାଯିବ। ଉଲ୍ଲେଖ ଥାଉ କି ଓଡିଶା ପଡୋଶୀ ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଛତିଶଗଡ଼ରେ ଏନଆଇଏ କାର୍ଯ୍ୟାଳୟ ରହିଛି। ଏହା ସହ ଗୃହମନ୍ତ୍ରୀ ଅମିତ ଶାହା ଦାବି କରିଛନ୍ତି ଯେ ଟିମ୍ ଇଣ୍ଡିଆର ଆଭିମୁଖ୍ୟ ସହିତ ଆମ ସରକାର ଆଗକୁ ବଢିବା ବିଷୟରେ ଆଲୋଚନା କରୁଛନ୍ତି।

ସେ କହିଛନ୍ତି ଯେ ଆଇପିସି ଏବଂ ସିଆରପିସିରେ ହେବାକୁ ଥିବା ସଂସ୍କାର ଶୀଘ୍ର କରାଯିବ ଏବଂ ସଂସଦରେ ପାରିତ ହେବ। ସେ ଦାବି କରିଛନ୍ତି ଯେ ଦେଶର ଅନେକ ଏନଜିଓ ଧର୍ମାନ୍ତୀକରଣ ଏବଂ ବିକାଶ ନାମରେ ବିଦେଶୀ ପାଣ୍ଠିର ଅପବ୍ୟବହାର କରୁଛନ୍ତି। ଏହାକୁ ରୋକିବା ପାଇଁ ଆଇନରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ସୀମା ଅପରାଧକୁ ସଫଳତାର ସହ ମୁକାବିଲା କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମୂହିକ ଦାୟିତ୍ୱ।