ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଗସ୍ତରେ ଥିବା ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ୟୁକ୍ରେନ୍ ସହିତ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ କହିଥିଲେ। ଶାନ୍ତି ସ୍ଥାପନ ପ୍ରକ୍ରିୟାରେ କୌଣସି ପ୍ରକାରର ଯୋଗଦାନ ପାଇଁ ଭାରତ ପ୍ରସ୍ତୁତ ଥିବା ମଧ୍ୟ ମୋଦୀ କହିଛନ୍ତି। ମୋଦୀ ଓ ଲାବରୋବଙ୍କ ମଧ୍ୟରେ ଦୀର୍ଘ ୪୦ ମିନିଟ ଧରି କଥାବାର୍ତ୍ତା ଚାଲିଥିଲା।
ଏହି ବୈଠକ ଏଭଳି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଋଷିଆରୁ ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣକୁ ନେଇ ଭାରତ ଆନ୍ତର୍ଜାତୀୟ ଚାପର ସମ୍ମୁଖୀନ ହେଉଛି। ରୁବେଲ ରୁପା ସ୍ୱାପ ମାଧ୍ୟମରେ ଋଷିଆରୁ ଉନ୍ନତମାନର ଅଶୋଧିତ ତୈଳ କିଣିବାକୁ ଭାରତ ସୂଚିତ କରିଛି। ଏହାପୂର୍ବରୁ ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭେଟିଲେ। ଦୁଇ ଦେଶ ମଧ୍ୟରେ ପ୍ରତିନିଧି ସ୍ତରୀୟ ଆଲୋଚନା ମଧ୍ୟ କରାଯାଇଥିଲା। ବୈଦେଶିକ ମନ୍ତ୍ରୀ ବୈଠକ ପୂର୍ବରୁ ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ କହିଛନ୍ତି ଯେ ଯଦି ଋଷରୁ ଭାରତ କିଛି କିଣିବାକୁ ଚାହୁଁଛି ତେବେ ତାଙ୍କ ଦେଶ ଯୋଗାଣ ଉପରେ ବିଚାର କରିବାକୁ ପ୍ରସ୍ତୁତ। ୟୁକ୍ରେନ ପ୍ରସଙ୍ଗରେ ଭାରତର ମଧ୍ୟସ୍ଥତା ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ଭାରତ ଏକ ଦାୟିତ୍ବପୂର୍ଣ୍ଣ ଦେଶ।