ଭୁବନେଶ୍ୱର,ଏନ୍ଏନ୍ଏସ୍: ସମଗ୍ର ଦୃଶ୍ୟମାନ ଜଗତ ପାଞ୍ଚ ତନ୍ତ୍ରରେ ନିର୍ମିତ ଏହି ପାଞ୍ଚ ମୌଳିକ ତତ୍ତ୍ଵର ପ୍ରଦୂଷଣ ହିଁ ବିପତ୍ତିର କାରଣ। ପୃଥିବୀରେ କୌଣସି ଦ୍ରବ୍ୟ ଅଦରକାରୀ ନୁହେଁ। ଏହାର ସଫଳ ଉପଯୋଗ କରାଯାଇପାରିବ। ଏଣୁ ପରିବେଶ ଅନୁକୂଳ ନିର୍ମାଣ ଓ କ୍ରିୟାକଳାପକୁ ପ୍ରାଥମିକତା ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆହ୍ବାନ ଦେଇଛନ୍ତି।
ଆଜି ରାଜଭବନରେ ଆୟୋଜିତ ଅଟଳ ଇନ୍କ୍ୟୁବେସନ ସେଣ୍ଟର–ନାଳନ୍ଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ୍ର ପଞ୍ଚମ ଷ୍ଟାର୍ଟଅପ୍ ଲଞ୍ଚପ୍ୟାଡ୍ରେ ‘ଟ୍ରିନୋଭେସନ୍ସ’ର ଗ୍ରିନୋପି ପ୍ରୟାସକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଆମ ପରମ୍ପରାରେ ଅଧିକାରକୁ ସଜ୍ଞାୟିତ କରାଯାଇନି: କେବଳ କର୍ତ୍ତବ୍ୟର ଅବତାରଣା କରାଯାଇଛି। କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ କଲେ ଅଧିକାର ଆପେ ଆପେ ମିଳିଯାଏ। ପ୍ରକୃତିର ନିୟମ ପାଳନରେ ହିଁ ଅଛି ପ୍ରକୃତିର ସୁରକ୍ଷା ଏବଂ ଏହା ଜୀବନଶୈଳୀର ଅଙ୍ଗ ହେବା ଦରକାର ବୋଲି ରାଜ୍ୟପାଳ ମତପ୍ରକାଶ କରିଛନ୍ତି। ଏହି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅନ୍ତର୍ଗତ ୭୫ ଲକ୍ଷ ଚାରାଯୋଗ୍ୟ ପତାକା ଅଭିଯାନକୁ ରାଜ୍ୟପାଳ ଉଦ୍ଘାଟନ କରିଥିଲେ।
ଅଟଳ ଇନ୍କ୍ୟୁବେସନ୍ ସେଣ୍ଟର–ନାଳନ୍ଦାର ମହାନିର୍ଦ୍ଦେଶକ ଡ. ତପନ କୁମାର ଚାନ୍ଦ ଓଡ଼ିଶାରେ ନବଉଦ୍ୟୋଗର ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ। ‘ଗ୍ରିନୋଭେସନ୍ସ’ର ପ୍ରତିଷ୍ଠାତା ଅଜିତ ଷଡଙ୍ଗୀ, ଅଟଳ ଇନ୍କ୍ୟୁବେସନ୍ ସେଣ୍ଟରର ମୁଖ୍ୟ ନିର୍ବାହୀ ଦେବଜ୍ୟୋତି ମହାନ୍ତି, ଦୁର୍ଗାପ୍ରସାଦ ଗୌଡ଼, ଚିଦାମ୍ଭିକା ଖଟୁଆ, ପ୍ରମୁଖ ବକ୍ତବ୍ୟ ରଖିଥିଲେ।