ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ଆଥଲେଟ୍

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ଆଥଲେଟମାନଙ୍କୁ ଭେଟିଛନ୍ତି। କିଛି ଦିନ ପୂର୍ବରୁ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ସ୍ୱର୍ଣ୍ଣ ପଦକ ସମେତ ଭାରତ ମୋଟ ୭ଟି ପଦକ ଜିତିଛି।

ଅଲିମ୍ପିକ୍ସରେ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ। ଏହାପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ୬ଟି ପଦକ ଜିତିଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ତାଙ୍କର ପ୍ରିୟ ଚୁରମା ଖାଇବାକୁ ଦେଇଥିଲେ। ସେହିଭଳି ମହିଳା ବ୍ୟାଡମିଣ୍ଟନ ଇଭେଣ୍ଟରେ ପଦକ ଜିତିଥିବା ପିଭି ସିନ୍ଧୁଙ୍କୁ ଏକ ଆଇସ୍କ୍ରିମ୍ ଖାଇବାକୁ ଦେଇଥିଲେ।

ଅଲିମ୍ପିକ୍ ଇତିହାସରେ ବ୍ୟାଡମିଣ୍ଟନରେ ଦୁଇଟି ପଦକ ଜିତିଥିବା ପିଭି ସିନ୍ଧୁ ହେଉଛନ୍ତି ଭାରତର ଏକମାତ୍ର ଖେଳାଳି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ସମସ୍ତ ଭାରତୀୟ ଆଥଲେଟଙ୍କୁ ସ୍ୱାଧୀନତା ଦିବସ ଅବସରରେ ଲାଲ କିଲ୍ଲାରେ ପତାକା ଉତ୍ତୋଳନ ସମାରୋହରେ ଭାଗ ନେବାକୁ ଆମନ୍ତ୍ରଣ କରିଥିଲେ।