ପେଗାସସ୍ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ ହେବ, ସୁପ୍ରିମକୋର୍ଟରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,ଏଜେନ୍ସି: ପେଗାସସ ମାମଲାର ଯାଞ୍ଚ ଏବେ ସ୍ୱତନ୍ତ୍ର କମିଟି ଦ୍ୱାରା କରାଯିବ। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏନେଇ ସ୍ପଷ୍ଟ କରିଛନ୍ତି। ସରକାର କମିଟି ଗଠନ ବାବଦରେ ଘୋଷଣା ସହ କୌଣସି ଗୁଇନ୍ଦାଗିରି କିମ୍ବା ଫୋନ୍ ଟ୍ୟାପିଂ ହୋଇନଥିବା ପୁଣିଥରେ କହିଛନ୍ତି। ଆହୁରି ମଧ୍ୟ ସରକାର କୋର୍ଟରେ ଦୁଇପୃଷ୍ଠାର ସ୍ପଷ୍ଟୀକରଣ ଦାଖଲ କରିଛନ୍ତି।

ଆଜି ସୁପ୍ରିମକୋର୍ଟରେ ପେଗାସସ ମାମଲାରେ ଶୁଣାଣି ହୋଇଥିଲା। କୋର୍ଟରେ ସରକାର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। କୌଣସି ଅବୈଧ ଗୁଇନ୍ଦାଗିରି କରାଯାଇନଥିବା ସରକାର ସ୍ପଷ୍ଟୀକରଣ ରଖିଥିଲେ। ଏହାସହ ବରିଷ୍ଠ ସାମ୍ବାଦିକ ଏନ ରାମଙ୍କ ସମେତ ଅନ୍ୟମାନଙ୍କ ଦ୍ୱାରା ଦାଖଲ ଆବେଦନରେ ହୋଇଥିବା ଅଭିଯୋଗକୁ ସିଧାସଳଖ ଭାବେ ମନା କରିଥିଲେ।

ପେଗାସସ ମାମଲା ଆସିବା ପରେ କେନ୍ଦ୍ର ସରକାରଙ୍କ ପାଇଁ ଅଡୁଆ ବଢିଥିଲା। ଅନେକ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ସରକାର ପେଗାସସ ସଫ୍ଟଓୟାରକୁ ବ୍ୟବହାର କରି ବେଆଇନ ଭାବେ ଗୁଇନ୍ଦାଗିରି କରୁଛନ୍ତି। ଯେଉଁମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି, ସେମାନଙ୍କ ମଧ୍ୟରେ ସାମ୍ବାଦିକ, ରାଜନେତା, ସାମାଜିକ କାର୍ଯ୍ୟକର୍ତ୍ତା ଓ ନ୍ୟାୟପାଳିକାରେ ଜଡିତ ଥିବା ଅନେକ ବ୍ୟକ୍ତି ରହିଥିଲେ।