ମୋହାଲିରେ ହୋମି ଭାବା କ୍ୟାନସର ହସ୍ପିଟାଲର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଚଣ୍ଡିଗଡ,ଏନ୍ଏନ୍ଏସ୍: ପଞ୍ଜାବର ମୋହାଲିରେ ବିଶିଷ୍ଟ ବୈଜ୍ଞାନିକ ଡ.ହୋମି ଜାହାଙ୍ଗୀର ଭାବାଙ୍କ ନାମରେ ନାମିତ କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କାର୍ଯ୍ୟକ୍ରମରେ ପଞ୍ଜାବର ରାଜ୍ୟପାଳ ବି.ଏଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ, ହୋମି ଭାବା କର୍କଟ ହସ୍ପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ରରେ ଏପର୍ଯ୍ୟନ୍ତ ପ୍ରାୟ ୩୦୦ ରୋଗୀଙ୍କୁ ଚିକିତ୍ସିତ କରାଯାଇ ସାରିଛି । ଏହି ଅନୁସନ୍ଧାନ କେନ୍ଦ୍ରର ମୋଟ ୩୦୦ ଶଯ୍ୟାର କ୍ଷମତା ରହିଛି । ଯାହା ବର୍ତ୍ତମାନ ଆଂଶିକ କାର୍ଯ୍ୟ କରୁଥିବା ବେଳେ ଆଜି ଠାରୁ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ଅତ୍ୟାଧୁନିକ ହସ୍ପିଟାଲରେ ସର୍ଜିକାଲ୍ ଅଙ୍କୋଲୋଜି, ମେଡିକାଲ୍ ଅଙ୍କୋଲୋଜି, ରେଡିଏସନ୍ ଅଙ୍କୋଲୋଜି, ପ୍ରତିଷେଧକ ଅଙ୍କୋଲୋଜି, ଆନାସ୍ଥେସିଆ ଏବଂ ପଲ୍ଲିଏଟିଭ୍ କେୟାର ପାଇଁ ଓପିଡିରେ ରୋଗୀ ସେବା ଆରମ୍ଭ କରାଯାଇଛି । ବିଭିନ୍ନ ପ୍ରକାରର କର୍କଟ ରୋଗର ଚିହ୍ନଟ ପାଇଁ ଆବଶ୍ୟକ ପରୀକ୍ଷଣ ପାଇଁ ସମସ୍ତ ଆଧୁନିକ ସୁବିଧା ମଧ୍ୟ ଏଠାରେ ଉପଲବ୍ଧ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ଲୋକାର୍ପିତ ହେବାକୁ ଥିବା ହସ୍ପିଟାଲ ପରିସରରେ କାର୍ଯ୍ୟକ୍ରମ ହେଉଥିବା ବେଳେ ଏହାର ଚାରିପାଖର ପ୍ରାୟ ୨ କିଲୋମିଟର ଅଞ୍ଚଳକୁ ସମ୍ପୂର୍ଣ୍ଣ ସାଧାରଣ ଗତିବିଧି ପାଇଁ ସିଲ କରିଥିଲା ସ୍ଥାନୀୟ ପ୍ରଶାସନ । ଧାରା ୧୪୪ ଜାରି କରାଯିବା ସହ ବ୍ୟାପକ ସୁରକ୍ଷା ବଳ ମଧ୍ୟ ମୁତୟନ ହୋଇଥିଲେ । ସେହିପରି ଉକ୍ତ ସ୍ଥାନକୁ ସମ୍ପୂର୍ଣ୍ଣ ନୋ ଫ୍ଲାଇଂ ଜୋନ ମଧ୍ୟ ଘୋଷଣା କରାଯାଇଥିଲା ।