ଆଜି କୋଚିରୁ ମାଙ୍ଗାଲୋର ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ନବବର୍ଷରେ ଦେଶବାସୀଙ୍କୁ ଆଉ ଏକ ଉପହାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଆଜି ୩ ହଜାର କୋଟି ଟଙ୍କା ବ୍ୟୟରେ କୋଚିରୁ ମାଙ୍ଗାଲୋର ପର୍ଯ୍ୟନ୍ତ ଏହି ପ୍ରାକୃତିକ ଗ୍ୟାସ ପାଇପଲାଇନର ଉଦଘାଟନ କରି ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।

ଏହି ଗ୍ୟାସ ପାଇପଲାଇନର ପରିବହନ କ୍ଷମତା ଦୈନିକ ୧୨ ନିୟୁତ ମେଟ୍ରିକ ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର ରହିଛି। ଏହି ପାଇପଲାଇନ ଏର୍ଣ୍ଣାକୁଲମ, ତ୍ରିସୁର, ପାଲାକାଡ, ମଲପୁରମ୍‍, କୋଜିକୋଡ଼, କନୌର ଓ କାଶରାଗଡ଼ ଜିଲ୍ଲା ଦେଇ କେରଳର କୋଚିସ୍ଥିତ ତରଳୀକୃତ ପ୍ରାକୃତିକ ଗ୍ୟାସ୍‍ ପୁନଃ ବାଷ୍ପୀକରଣ ଟର୍ମିନାଲରୁ କର୍ଣ୍ଣାଟକର ମାଙ୍ଗାଲୋର ପର୍ୟ୍ୟନ୍ତ ଗ୍ୟାସ୍‍ ପରିବହନ କରିବ।

ଏହି ପାଇପଲାଇନ ୧୦୦ରୁ ଅଧିକ ଜଳାଶୟ ଅତିକ୍ରମ କରୁଥିବାରୁ ଏହାର ନିର୍ମାଣ ଇଞ୍ଜିନିୟରିଂ କ୍ଷେତ୍ର ପାଇଁ ଏକ ବିରାଟ ଆହ୍ୱାନ। ହରାଇଜେଣ୍ଟାଲ ଡ୍ରିଲିଂ ପଦ୍ଧତି ଦ୍ୱାରା ଏହି ପ୍ରକଳ୍ପର ନିର୍ମାଣ କରାଯାଇଛି।