ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାନୀ କମଲାପତି ରେଳ ଷ୍ଟେସନର ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦୀ ଟ୍ରେନକୁ ସବୁଜ ପତାକା ଦେଖାଇବା ପରେ ତାହା ସେଠାରୁ ଛାଡ଼ିଥିଲା। ନାମ ପରିବର୍ତ୍ତନ ଯୋଗୁ ଷ୍ଟେସନର ମହତ୍ତ୍ୱ ବଢ଼ିବ ବୋଲି ମୋଦୀ କହିଛନ୍ତି।
ମୋଦୀ ଆହୁରି କହିଛନ୍ତି ଯେ, ଭୋପାଳର ଏହି ଐତିହାସିକ ରେଳ ଷ୍ଟେସନର କେବଳ କାୟାକଳ୍ପ ନୁହେଁ ବରଂ ରାନୀ କମଲାପତିଙ୍କ ନାମ ଯୋଡ଼ିବା ପରେ ଏହାର ମହତ୍ତ୍ୱ ଆହୁରି ବଢ଼ିଯାଇଛି। ରାନୀ କମଲାପତି ଷ୍ଟେସନ ରୂପରେ ଆଜି ଦେଶର ପ୍ରଥମ ଆଇଏସଓ ସାର୍ଟିଫାଏଡ ଓ ପିପିପି ମୋଡେଲ ଆଧାରିତ ରେଳ ଷ୍ଟେସନ ଦେଶକୁ ସମର୍ପିତ କରାଯାଇଛି। ଯେଉଁ ସୁବିଧା କେବେ ଏୟାପୋର୍ଟରେ ମିଳୁଥିଲା ତାହା ଆଜି ରେଳ ଷ୍ଟେସନରେ ମିଳିବ।
ସୂଚନାଯୋଗ୍ୟ, ଉକ୍ତ ଷ୍ଟେସନର ନାମ ପୂର୍ବରୁ ହବୀବଗଞ୍ଜ ରେଳ ଷ୍ଟେସନ ଥିଲା ଯାହାକୁ ପରିବର୍ତ୍ତନ କରାଯାଇ ରାନୀ କମଲାପତି କରି ଦିଆଯାଇଛି। ବିଶ୍ୱସ୍ତରୀୟ ସୁବିଧା ସହ ଏହି ଷ୍ଟେସନକୁ ନିର୍ମାଣ କରାଯାଇଛି। ଏଠାରେ ଲୋକଙ୍କୁ ଏୟାରପୋର୍ଟ ଭଳି ସୁବିଧା ମିଳିବ।