ବିହାରରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ

ପାଟନା, ଏଜେନ୍ସି: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାର ଆରମ୍ଭ ହୋଇଛି। ରାଜ୍ୟର ୧୬ଟି ଜିଲ୍ଲାର ୭୧ଟି ନିର୍ବାଚନମଣ୍ଡଳୀରେ ଆଜି ମତଦାନ ଅନୁଷ୍ଠିତ ହେଉଛି।ଆଜିର ନିର୍ବାଚନରେ ୨ କୋଟି ୧୪ ଲକ୍ଷରୁ ଅଧିକ ଭୋଟର ୧ ହଜାର ୬୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି। ଦରଭଙ୍ଗାରେ ଆୟୋଜିତ ନିର୍ବାଚନୀ ସଭାରେ ସେ ପରୋକ୍ଷରେ ଆରଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନଙ୍କର ଶିକ୍ଷା ହେଉଛି ସମାଜକୁ ଭାଗ ଭାଗ କରି ଶାସନ କରିବା, ଯେଉଁମାନଙ୍କର ତାଲିମ ହେଉଛି କମିଶନ ରୋଜଗାର କରିବା ପାଇଁ, ସେମାନେ ବିହାରର ସ୍ୱାର୍ଥ ନେଇ କଦାପି ଚିନ୍ତା କରିପାରିବେ ନାହିଁ। ବିହାରବାସୀ ବିହାରକୁ ଲୁଟ୍ କରିଥିବା ଲୋକଙ୍କୁ ହରାଇବାକୁ ସ୍ଥିର କରି ନେଇଛନ୍ତି। ବିହାରର ଲୋକମାନେ ଏହି ପ୍ରତିଭାଶାଳୀ ରାଜ୍ୟର ଯୁବକମାନଙ୍କୁ ଧୋକା ଦେଇଥିବା ଲୋକମାନଙ୍କୁ ହରାଇବାକୁ ସ୍ଥିର କରିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବରୁ ସରକାରରେ ଥିବା ଲୋକଙ୍କର ମନ୍ତ୍ର ଥିଲା ଅର୍ଥ ହଡପ କରିବା । ମିଥିଳାଞ୍ଚଳକୁ ସଂଯୋଗ କରୁଥିବା କୋଶି ସେତୁ ୨୦୦୩ରେ ଯେତେବେଳେ ଅଟଳଜୀ ପ୍ରଧାନମନ୍ତ୍ରୀ ଏବଂ ନୀତୀଶଜୀ ରେଳମନ୍ତ୍ରୀ ଥିଲେ, ସେତେବେଳେ ଏହି ମହାସେତୁ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଏହା ପରେ କାମ ମନ୍ଥର ହୋଇଗଲା। ଏନଡିଏ ସରକାର ଗଠନ ପରେ ଏବଂ ଏଠାରେ ନୀତୀଶଙ୍କ ସରକାର ଯୋଗୁ କୋଶି ମହାସେତୁ ନିର୍ମାଣ ହୋଇପାରିଲା। କିଛି ଦିନ ପୂର୍ବରୁ ମୁଁ ଏହାକୁ ଉଦଘାଟନ କରିବାର ସୌଭାଗ୍ୟ ପାଇଲି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।