ଟିକାକରଣ ଅଭିଯାନର ଶୁଭାରମ୍ଭ କରି ଭାବବିହ୍ୱଳ ହେଲେ ମୋଦୀ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଟିକାକରଣ ପ୍ର୍ରକିୟା ଆରମ୍ଭ ହୋଇଯାଇଥିବାବେଳେ ବିରୋଧୀ ପାର୍ଟି ଦୁଷ୍ପ୍ରଚାର କରିବାର କୌଣସି ସୁଯୋଗ ହାତଛଡ଼ା କରୁନାହାଁନ୍ତି। ଏଭଳି ସ୍ଥିତିରେ ବୈଜ୍ଞାନିକ ଓ ବିଶେଷଜ୍ଞ ଭ୍ୟାକ୍ସିନ ସୁରକ୍ଷିତ ଓ ପ୍ରଭାବୀ ହେବାର ସବୁଜ ସଙ୍କେତ ଦେବା ପରେ ହିଁ ଏହାର ବ୍ୟବହାରକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେଥିପାଇଁ ଭ୍ୟାକ୍ସିନକୁ ନେଇ କୌଣସି ପ୍ରକାର ଗୁଜବରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

ଦେଶରେ ଟିକାକରଣ ପ୍ରକ୍ରିୟାର ଶୁଭାରମ୍ଭ ଅବସରରେ ମୋଦୀ ଭାବପ୍ରବଣ ହୋଇଯାଇଥିଲେ। ଟିକାକରଣ ଅବସରରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି କୋଭିଡ ୱାରିୟରଙ୍କଠାରେ ଆଭାର ବ୍ୟକ୍ତି କରିଥିଲେ। ମୋଦୀ କହିଛନ୍ତି ଯେ, ‘କରୋନା ଅନେକଙ୍କୁ ପରିବାରଠାରୁ ଦୂରେଇ ଦେଇଥିଲା। ଅନେକ ସାଥୀ ହସ୍ପିଟାଲରୁ ଘରକୁ ଫେରିି ପାରିଲେନି । ହସ୍ପିଟାଲରେ ଥିବା ବରିଷ୍ଠ ଲୋକଙ୍କୁ ପରିବାର ଲୋକେ ଭେଟି ପାରିଲେନି। ମା’ମାନେ ଏହି ଲଢ଼େଇରେ ତାଙ୍କ ସନ୍ତାନଙ୍କୁ ହରାଇଦେଲେ। କରୋନାରେ ମୃତକଙ୍କ ଶେଷକୃତ୍ୟ ମଧ୍ୟ ରୀତିନୀତିରୁ କରିପାରିଲୁ ନାହିଁ।’

ମୋଦୀ ଆହୁରି କହିଛନ୍ତି ଯେ, ଦେଶର ଡାକ୍ତର ଓ ନର୍ସ ନିଃସ୍ୱାର୍ଥ ଭାବନାର ଲଗାତାର ପରିଚୟ ଦେଇଛନ୍ତି। ସଙ୍କଟ ଘଡ଼ିରେ ଦେଶବାସୀ ଏକଜୁଟତା ଦେଖାଇବା ସହ ସତର୍କ ରହି କରୋନା ଲଢ଼େଇରେ ଆଗକୁ ବଢ଼ି ଚାଲିଥିଲେ। ଆତ୍ମନିର୍ଭର ଭାରତର ପରିଣାମସ୍ୱରୂପ ଭାରତ ଯଥାଶୀଘ୍ର କୋଭିଡ ଭ୍ୟାକ୍ସିନ ହାସଲ କରିପାରିଲା।