ଦେବଗଡ଼ରେ ଆରମ୍ଭ ହେଲା କରୋନା ଟିକାକରଣ କାର୍ଯ୍ୟକ୍ରମ

ଦେବଗଡ଼, ଏନ୍ଏନ୍ଏସ୍ : ଦେବଗଡ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଭାବେ ଖୋଲାଯାଇଥିବା କୋଭିଡ-୧୯ ଭ୍ୟାକ୍ସିନେସନ ସେଣ୍ଟରଠାରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ଦୀପ ପ୍ରଜ୍ୱଳନ ପୂର୍ବକ ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲାରେ ପ୍ରଥମ ଟିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ସୁନ୍ଦରୀ ମୁଖୀଙ୍କୁ ଦିଆଯାଇଥିଲା। ଆଜି ଦେବଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଓ ରିଆମାଳ ବ୍ଲକ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଏହି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦେବଗଡ଼ ଜିଲ୍ଲାକୁ ୧୫୫୦ ଭ୍ୟାକ୍ସିନ ମିଳିଥିବାବେଳେ ଆସନ୍ତା ୨୧ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ସମାପ୍ତ ହେବ ବୋଲି ଜଣାପଡ଼ିଛି।

ସେହିପରି କୋଭିଡ-୧୯ ଟିକା ନେଉଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଡାକ୍ତରଙ୍କ ତତ୍ତ୍ୱାବଧାନରେ ପର୍ଯ୍ୟବକ୍ଷେଣ କେନ୍ଦ୍ରଠାରେ ସ୍ୱାସ୍ଥ୍ୟ ନିରୀକ୍ଷଣ କରାଯାଉଥିବା ବେଳେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଲକ୍ଷଣ ଦେଖାଦେଲେ ତୁରନ୍ତ ସମସ୍ତ ଚିକିତ୍ସା ସୁବିଧା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ପ୍ରକାଶ କରିଛନ୍ତି। ଏହି ଟିକାକରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ଆସିଥିବା ଡା.ପରେଶ କୁମାର ମିଶ୍ର, ନିହାର ରଞ୍ଜନ ସାମଲ, ଏଡିଏମଓ ଡାକ୍ତର ବ୍ରଜ କିଶୋର ଭୋଇ, ଭେଷଜ ବିଶେଷଜ୍ଞ ଡା. ମନୋରଞ୍ଜନ ସାମଲ, ଡା. ନିବେଦିତା ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳକ ଉମେଶ ପ୍ରସାଦ ଷଢ଼ଙ୍ଗୀ, ଉପପରିଚାଳିକା ଜ୍ୟୋତ୍ସାରାଣୀ ଶର୍ମା ଓ ଦେବାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।