ନୂଆଦିଲ୍ଲୀ,ଏଜେନ୍ସି: ଆଜି ସାରା ଦେଶ ନିରାଡ଼ମ୍ବର ଭାବେ ୭୪ତମ ସ୍ବତନ୍ତ୍ରତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ତେବେ ଦେଶରେ କରୋନା କଟକଣା ଚାଲିଥିବାରୁ ବହୁ କମ ଅତିଥିଙ୍କୁ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ସେଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଲାଲକିଲ୍ଲାରୁ ପତାକା ଉତ୍ତୋଳନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ହେଉଛି ସେହି ଦିନ ଯେତେବେଳେ ଆମେ ଦେଶର ସେବା କରୁଥିବା ପ୍ରତିରକ୍ଷା ବାହିନୀ, ପୁଲିସ୍ ଫୋର୍ସ, ସୁରକ୍ଷା ବଳ ଏବଂ ଦେଶର କୋଟି କୋଟି ନାଗରିକଙ୍କୁ ସମ୍ମାନ ଦେଉଛୁ।’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ -୧୯ ମହାମାରୀ ସମୟରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ଉକ୍ତ ପରିବାରମାନଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ମୋଦୀ ଆତ୍ମନିର୍ଭରଶୀଳ ସମ୍ପର୍କରେ ଅଭିଭାଷଣ ରଖିଛନ୍ତି। ଏନେଇ ସେ କହିଛନ୍ତି ଯେ, ଏହି ମହାମାରୀ ମଧ୍ୟରେ ୧୩୦ କୋଟି ଭାରତୀୟ ଆତ୍ମନିର୍ଭରଶୀଳ ହେବା ପାଇଁ ସଂକଳ୍ପ ନେଇଥିଲେ ଏବଂ ‘ଆତ୍ମନିର୍ଭର ଭାରତ ‘ ଭାରତର ମନରେ ଅଛି। ଏହି ସ୍ୱପ୍ନ ଏକ ପ୍ରତିଶ୍ରୁତିରେ ପରିଣତ ହେଉଛି | ଆଜି ୧୩୦ କୋଟି ଭାରତୀୟଙ୍କ ପାଇଁ ‘ଆତ୍ମନିର୍ଭର ଭାରତ’ ଏକ ମନ୍ତ୍ର ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।