ରାଷ୍ଟ୍ରୀୟ ବାଲ୍ୟ ପୁରସ୍କାର ବିଜେତାଙ୍କୁ ମୋଦୀ ଦେଲେ ଡିଜିଟାଲ ପ୍ରମାଣପତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ୟ ପୁରସ୍କାର ବିଜେତାଙ୍କ ସହ ଆଲୋଚନା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, ରାଜ୍ୟମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇ, ସମ୍ବୋଧିତ ଜିଲ୍ଲାର ମାତାପିତା ଓ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ମାତାପିତା ଉପସ୍ଥିତ ଥିଲେ । ଏହି ଅବସରରେ ମୋଦୀ ବ୍ଲାକଚେନ ଟେକ୍ନୋଲୋଜୀର ଉପଯୋଗ କରି ୨୦୨୨ ଓ ୨୦୨୧ ପାଇଁ ପୁରସ୍କାର ବିଜେତାଙ୍କୁ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମୟରେ ପୁରସ୍କାର ବିଜେତାଙ୍କୁ କହିଛନ୍ତି ଯେ, ପୁରସ୍କାର ସହ ତୁମମାନଙ୍କୁ ଦାୟିତ୍ୱ ମଧ୍ୟ ମିଳିଛି । ଏବେ ସମସ୍ତଙ୍କର ତୁମମାନଙ୍କଠାରୁ ଆଶା ବଢ଼ିଯାଇଛି । କିନ୍ତୁ ଏଥିରେ ଚାପଗ୍ରସ୍ତ ନହୋଇ ପ୍ରେରଣା ନେବା ଉଚିତ । ସ୍ୱାଧୀନତା ଲଢ଼େଇରେ ବୀର ବାଲା କନକଲତା ବରୁଆ ଓ ଖୁଦୀରାମ ବୋଷଙ୍କ ନାଁରେ ଏମିତି ଇତିହାସ ରହିଛି ଯାହାକି ଆମକୁ ଗୌରବାନ୍ୱିତ କରିଛି । ଏହି ସୈନିକମାନେ କମ୍ ବୟସରେ ଦେଶର ସ୍ୱାଧୀନତାକୁ ନିଜ ଜୀବନର ମିଶନ ବନାଇଥିଲେ । ସେଥିପାଇଁ ନିଜକୁ ସମର୍ପିତ କରିଥିଲେ, ତୁମମାନଙ୍କୁ ବି ସେମାନଙ୍କ ପରି କାର୍ଯ୍ୟ କରିବାକୁ ହେବ ।