ରୋମ୍‌ରେ ମୋଦୀ: ପ୍ରବାସୀ ଭାରତୀୟଙ୍କ ଭବ୍ୟ ସ୍ୱାଗତ, ସଂସ୍କୃତରେ ପଢ଼ିଲେ ଆବହନୀ ଶ୍ଳୋକ

ଇଟାଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାରି ଦିବସୀୟ ବିଦେଶ ଗସ୍ତ ଅବସରରେ ଆଜି ଇଟାଲୀରେ ପହଞ୍ଚିଛନ୍ତି। ଆଜି ସେ ଇଟାଲୀରେ ରାଜଧାନୀ ରୋମ୍‌ରେ ପହଞ୍ଚି ସେଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଜି-୨୦ ବୈଠକରେ ଭାଗ ନୋବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଟାଲୀରେ ରହୁଥିବା ପ୍ରବାସୀ ଭାରତୀୟମାନେ ଭବ୍ୟ ସ୍ୱାଗତ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଗ୍ଲାସ୍‌ଗୋ (ସ୍କଟ୍‌ଲାଣ୍ଡ୍‌) ପହଞ୍ଚିବେ। ସେଠାରେ ସେ ସିଓପି୨୬ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ସମ୍ମିଳନୀରେ ଭାଗ ନେବେ।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ପ୍ରଧାନମନ୍ତ୍ରୀ ଭାଟିକାନ୍ ସିଟି ଗସ୍ତ କରି ପୋପ୍ ଫ୍ରାନ୍‌ସିସ୍‌ଙ୍କ ସହିତ ମଧ୍ୟ ସାକ୍ଷାତ୍ କରିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ଜି-୨୦ର ଏହି ବୈଠକ ଗତ ୨୦୨୦ରେ ଅନୁଷ୍ଠିତ ହେବାର ଥିଲା। ମାତ୍ର କରୋନା ମହାମାରୀ ଯୋଗୁଁ ଏହି ବୈଠକକୁ ସ୍ଥଗିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ୩୧ ଅକ୍ଟୋବର ପର୍ଯ୍ୟନ୍ତ ରୋମ୍‌ରେ ଅବସ୍ଥାନ କରିବେ। ଜି-୨୦କୁ ବିଶ୍ୱ ଅର୍ଥ ବ୍ୟବସ୍ଥାର ଇଞ୍ଜିନ୍ ବୋଲି କୁହାଯାଇଥାଏ। ଚଳିତ ବୈଠକ ଗ୍ରୁପ୍‌ର ୮ମ ବୈଠକ ହେବ। ଏହି ବୈଠକର ଥିମ୍ ପିପୁଲ୍‌-ପ୍ଲାନେଟ୍ ଓ ପ୍ରସ୍ପରିଟି ରହିଛି। ମହାମାରୀରୁ ମୁକୁଳିବା ତଥା ଜଳବାୟୁ ପରିବର୍ତ୍ତନ ପ୍ରମୁଖ ପ୍ରସଙ୍ଗ ରହିବ ବୋଲି ଜଣାପଡ଼ିଛି। ଏହି ଗସ୍ତରେ ମୋଦୀ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘୀଙ୍କ ସହିତ ମଧ୍ୟ ସାକ୍ଷାତ୍ କରିପାରନ୍ତି।