ଏସସିଓ ସମ୍ମିଳନୀରେ ମୋଦୀଙ୍କୁ ଭେଟିପାରନ୍ତି ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ,ଏଜେନ୍ସି: ଉଜ୍‌ବେକିସ୍ତାନରେ ସେପ୍ଟେମ୍ବର ମାସରେ ହେବାକୁ ଥିବା ଶାଂଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀ ଉପରେ ବିଶ୍ୱବାସୀଙ୍କ ନଜର ରହିଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆସିଥିବା ଖବର ଅନୁସାରେ ଚୀନ ରାଷ୍ଟ୍ରପତି ଶୀ ଜିନପିଙ୍ଗ ଆସନ୍ତାମାସ ଉଜ୍‌ବେକିସ୍ତାନରେ ଶାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଶିଖର ସମ୍ମିଳନୀ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିପାରନ୍ତି । ଯଦି ଏହା ହୁଏ, ତା’ହେଲେ ବାସ୍ତବିକ ନିୟନ୍ତ୍ରଣ ରେଖା ଏଲଏସି ବିବାଦ ସମେତ ଅନ୍ୟ ଦ୍ୱିପାକ୍ଷୀକ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ରିପୋର୍ଟରେ କୁହାଯାଇଛି ଯେ, ଜିନପିଙ୍ଗ ନିଜର ରୁଷିଆ ସମକକ୍ଷ ଭ୍ଲାଦିମୀର ପୁତିନଙ୍କୁ ମଧ୍ୟ ଭେଟିପାରନ୍ତି ।

ଭାରତ ଓ ଚୀନ ମଧ୍ୟରେ ଏଲଏସି ବିବାଦ ନେଇ ସରକାରୀଭାବେ ୧୫ରୁ ୧୬ଟି ପର୍ଯ୍ୟାୟରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ବହୁପକ୍ଷୀୟ ଓ ଦ୍ୱିପାକ୍ଷୀକ ବୈଠକ ନେଇ ଅନେକ ଥର ବିଦେଶ ଯାତ୍ରା ମଧ୍ୟ କରିସାରିଛନ୍ତି । ଅପରପକ୍ଷେ ଶୀ ଜିନପିଙ୍ଗ ୨୦୨୦ ଜାନୁଆରୀ ପରଠାରୁ ଚୀନରୁ ବାହାରକୁ ଯାଇନାହାନ୍ତି । ମାତ୍ର ଶୁକ୍ରବାର ୱାଲ ଷ୍ଟ୍ରିଟ ଜର୍ନାଲର ଏକ ରିପୋର୍ଟରେ ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ ବିଦେଶ ଗସ୍ତ କରିପାରନ୍ତି ବୋଲି କୁହାଯାଇଛି । ତାଇୱାନକୁ ନେଇ ଆମେରିକା ସହିତ ବଢ଼ିଥିବା ଉତ୍ତେଜନା ମଧ୍ୟରେ ଆଞ୍ଚଳିକ ସୁରକ୍ଷା ବ୍ଲକ ଓ ପୁତିନ ସହିତ ଦ୍ୱିପାକ୍ଷୀକ ଆଲୋଚନା କରିବା ଆଶା କରାଯାଉଛି ।