ଦେଶ ପାଳୁଛି ୭୫ ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ,ଏଜେନ୍ସି: ଦେଶ ପାଳନ କରୁଛି ୭୫ତମ ସ୍ଵାଧୀନତା ଦିବସ। ପଲ୍ଲୀରୁ ଦିଲ୍ଲୀ ଆଜି ଉତ୍ସବ ମୁଖର। ସ୍ଵାଧୀନତା ଦିବସ ଅବସରରେ ଦେଶ ପାଳନ କରୁଛି “ଆଜାଦି କା ଅମୃତ ମହୋତ୍ସବ”। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହାପରେ ଐତିହାସିକ ଲାଲକିଲ୍ଲାରେ ପହଞ୍ଚି ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି। ଏହାପରେ ସେ ବଳିଦାନ ଦେଇଥିବା ସମସ୍ତ ମହାନ ମହାନାୟକଙ୍କୁ ସମ୍ମାନ ଜଣାଇ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି।

ଅଲମ୍ପିକ୍ସ ଖେଳାଳିମାନଙ୍କୁ ପ୍ରଶଂସା-
ପ୍ରଧାନମନ୍ତ୍ରୀ ତାଙ୍କର ଉଦବୋଧନରେ ସମାରୋହରେ ଉପସ୍ଥିତ ଥିବା ଅଲମ୍ପିକ୍ ଖେଳାଳିମାନଙ୍କୁ ପ୍ରଶଂସା କରିଛନ୍ତି। ଟୋକିଓ ଅଲମ୍ପିକ୍ସରେ ସଫଳତା ଯୁବ ପିଢିଙ୍କୁ ପ୍ରେରିତ କରିବ ବୋଲି ମୋଦି କହିଛନ୍ତି। ଏହି ସମୟରେ କରୋନା ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି ଯେ, ଆମେ ମହାମାରୀ କରୋନା ମୁକାବିଲାରେ ଅନ୍ୟ ଦେଶ ଉପରେ ନିର୍ଭର କରିନୁ। ଆଜି ସୁଦ୍ଧା ୫୪ କୋଟି ଲୋକ କରୋନା ଟିକା ନେଇଛନ୍ତି। ମହାମାରୀ ଭଳି ସଙ୍କଟପୂର୍ଣ୍ଣ ସ୍ଥିତିରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଇଛି। ଦେଶବାସୀଙ୍କ ଉନ୍ନତି ପାଇଁ ଅନେକ ବିକାଶ ମୂଳକ ଯୋଜନା କରାଯାଇଛି। ଶତ ପ୍ରତିଶତ ଲୋକଙ୍କ ଘରେ ଶୌଚାଳୟ, ବିଜୁଳି, ପାନୀୟ ଜଳ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। କେହି ଯେପରି ସରକାରୀ ସୁବିଧା ସୁଯୋଗରୁ ବଞ୍ଚି ନହୁଅନ୍ତି ସେଥିପ୍ରତି ସରକାର ଦୃଷ୍ଟି ରଖିଛନ୍ତି। ସେହିପରି ଦେଶରେ ଆୟୁଷ୍ମାନ ଯୋଜନାରେ ଗାଁ ଗାଁରେ ସ୍ଵାସ୍ଥ୍ୟ ସେବା ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ହଜାରେ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ ହୋଇପାରିଛି।

ସମସ୍ତଙ୍କ ବିକାଶ ଆମର ଲକ୍ଷ୍ୟ-
ମୋଦି ତାଙ୍କର ସମ୍ବୋଧନରେ କହିଛନ୍ତି ଯେ, ସମାଜରେ ଯେପରି କେହି ବିକାଶରୁ ବଞ୍ଚିତ ନହୁଅନ୍ତୁ ତାହା ଆମର ଉଦ୍ଦେଶ୍ୟ। ଏଥିପାଇଁ ମେଡିକାଲ ଶିକ୍ଷାରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଯୋଗାଯୋଗରେ ବ୍ୟାପକ ପ୍ରସାର ହୋଇଛି। ଜାମ୍ମୁ କାଶ୍ମୀରର ପୁନର୍ଗଠନ ପରେ ସେଠାରେ ବିକାଶ ଆରମ୍ଭ ହୋଇଛି। ଦେଶରେ ୧୧୦ଟି ଆକାଂକ୍ଷୀ ଜିଲ୍ଲା ଚିହ୍ନଟ ହୋଇଛି। ଏହି ଜିଲ୍ଲା ଗୁଡ଼ିକ ଅନ୍ୟ ଜିଲ୍ଲା ସହ ସମକକ୍ଷ କରିବାକୁ ପ୍ରୟାସ କରାଯାଉଛି। ଏହି ପଛୁଆ ଜିଲ୍ଲା ଗୁଢିକରେ ଶିକ୍ଷା, ସ୍ଵାସ୍ଥ୍ୟ, ସଡ଼କକୁ ଅଧିକ ପ୍ରାଥମିକତା ଦିଆଯାଉଛି।

ଗାଁର ବିକାଶକୁ ପ୍ରାଥମିକତା-
ଚଳିତ ଦଶନ୍ଧିରେ ଗାଁର ବିକାଶକୁ ସରକାର ଅଧିକ ଗୁରୁତ୍ଵ ଦେଉଛନ୍ତି। ଗାଁରେ ଟେକ୍ନୋଲୋଜି ଜରିଆରେ ବିକାଶ ଆରମ୍ଭ ହୋଇଛି। ଗାଁରେ ମଧ୍ୟ ବୈଜ୍ଞାନିକ ଟେକ୍ନୋଲୋଜି ଜରିଆରେ କୃଷି କାର୍ୟ୍ୟ ହେଉଛି। ଦେଶର ୮୦ ପ୍ରତିଶତ ଲୋକଙ୍କ ଜମି ୨ ହେକ୍ଟରରୁ କମ୍। ତେଣୁ ସେମାନଙ୍କର ବିକାଶ ପାଇଁ ପିଏମ୍ କିହାନ ଯୋଜନା ଲାଗୁ କରାଯାଇଛି। ପିଏମ୍ କିଷାନ ଯୋଜନାରେ ୧୦ କୋଟି ଚାଷୀଙ୍କୁ ଦେଢ ଲକ୍ଷ କୋଟି ମିଳିଛି। ଶ୍ରମିକ ଯୋଜନା ଜରିଆରେ ଗାଁର ବିକାଶ କରାଯାଉଛି। ଗାଁ ଜମିର ଡ୍ରୋନ୍ ଜରିଆରେ ସର୍ଭେ କରାଯାଇ ଚିହ୍ନଟ କରାଯାଉଛି। ଯେଉଁଠାରେ ଆଦୌ ଚାଷ କରାଯାଉନଥିଲା ସେଠାରେ ଆଜି ଶସ୍ୟଶ୍ୟାମଳା ଦେଖିବାକୁ ମିଳିଛି।