ଯୋଗ୍ୟ ହିତାଧିକାରୀଙ୍କ ନାମ ୩୦ ଦିନ ଭିତରେ କେନ୍ଦ୍ରକୁ ଦିଅ: ବିଜେପି

ପିଏମ୍ କିଷାନ ନିଧି ଯୋଜନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ବାରମ୍ବାର ଚାଷୀଙ୍କ ତାଲିକା ମାଗୁଥିବା ବେଳେ ରାଜ୍ୟ ସରକାର ତାଲିକା ନଦେଇ ଓଡ଼ିଶାର ଚାଷୀମାନଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରୁଛନ୍ତି। କେନ୍ଦ୍ର ସରକାର ଓଡ଼ିଶାର ୪୫ ଲକ୍ଷ ଚାଷୀଙ୍କୁ ଉପରୋକ୍ତ ଯୋଜନାରେ ଅର୍ଥ ପ୍ରଦାନ କରିବାକୁ ଚାହୁଁଥିବାବେଳେ ରାଜ୍ୟ ସରକାର ମାତ୍ର ୯ ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି। ତେଣୁ ରାଜ୍ୟସରକାର ଆଗାମୀ ୩୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଜୀକୃତ କରି ତୁରନ୍ତ କେନ୍ଦ୍ରକୁ ପ୍ରଦାନ କରିବାକୁ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ସଭାପତି ପ୍ରଦୀପ ପୁରୋହିତ ଦାବି କରିଛନ୍ତି।

ବିଜେପିର ଏହି ଦୁଇ ନେତା ଅଭିଯୋଗ କରିଛନ୍ତି ଯେ କାଳିଆ ଯୋଜନାକୁ ନେଇ ରାଜ୍ୟସରକାର ଅନେକ ମିଛ ରାଜ୍ୟବାସୀଙ୍କୁ କହିଛନ୍ତି। ୨୦୧୯ ମସିହାରେ ନିର୍ବାଚନ ଜିତିବା ପର ଦିନ କାଳିଆ ଅର୍ଥ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ଏଯାବତ୍ ଏହା ଚାଷୀଙ୍କୁ ମିଳିଲା ନାହିଁ। ଆଉ ଏବେ ବାହସ୍ପୋଟ ମାରିବା ପାଇଁ କାଳିଆ ପାଇଁ ଆବେଦନ ଖୋଲାଅଛି ବୋଲି କହି ପୁଣିଥରେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଛନ୍ତି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ରାଜ୍ୟ ସରକାର ପ୍ରତିଶ୍ରୁତି ପ୍ରତିଶୃତି କୁଆଡେ ଗଲା ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି। ପିଏମ୍ କିଷାନ ନିଧୀ ଯୋଜନାର ପ୍ରଥମ କିସ୍ତିରେ ୩୧ ଲକ୍ଷ ଚାଷୀଙ୍କ ତାଲିକା ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଦାନ କରିଥିବାବେଳେ ତାହା ବର୍ତ୍ତମାନ ଷଷ୍ଠ କିସ୍ତିରେ ୯ ଲକ୍ଷ ହିତାଧିକାରୀରେ ପହଞ୍ଚିଛି।

ରାଜ୍ୟସରକାର କାଳିଆ ଯୋଜନାକୁ ଚଲାଇ ନପାରିବାରୁ ପିଏମ କିଷାନ ନିଧୀ ଯୋଜନାରେ କାଳିଆ ଯୋଜନାକୁ ସାମିଲ କରିଥିଲେ। ତେବେ ପ୍ରତି କିସ୍ତିରେ ପିଏମ କିଷାନ ନିଧୀ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କାହିଁକି ହ୍ରାସ ପାଉଛି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ଓଡ଼ିଶା ଲୋକଙ୍କୁ ସରକାରଙ୍କ ମନ୍ତ୍ରୀ ଓ ନେତା ମିଛ କହୁଛନ୍ତି। ବାସ୍ତବରେ ରାଜ୍ୟ ସରକାର କେତେ ଜଣଙ୍କୁ କାଳିଆ ଯୋଜନାରେ ପଞ୍ଜୀକରଣ କରିଥିଲେ, ତାହା ସ୍ପଷ୍ଟ କରିବା ନିହାତି ଆବଶ୍ୟକ। ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ମିଛ କହିବା ସହ ନିରୀହ ଚାଷୀ ଭାଇଭଉଣୀଙ୍କୁ ପ୍ରତାରିତ କରିଛନ୍ତି। ଯଥା ଶୀଘ୍ର ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ଘୋଷଣା ମୁତାବକ ବକେୟା ୨ଟି କିସ୍ତିର ୪ ହଜାର ଟଙ୍କା ପ୍ରଦାନ କରିବାକୁ ଶ୍ରୀ ପୁରୋହିତ ଦାବି କରିଛନ୍ତି।