ଓଡ଼ିଶା-ମୋ ପରିବାର ତରଫରୁ ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଅଭିନବ ପ୍ରୟାସ

୩ ଦିନରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ମିଳିଛି ସହାୟତା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୧ ତାରିଖରୁ ସର୍ବ ଭାରତୀୟ ସ୍ତରରେ ଜେଇଇ(ମେନ୍) ପରୀକ୍ଷା ଆରମ୍ଭ ହୋଇସାରିଛି। ରାଜ୍ୟରେ କରୋନା ମହାମାରୀର ସାମ୍ପ୍ରତିକ ପରିସ୍ଥିତିରେ ସଂକ୍ରମଣକୁ ରୋକିବା ଲାଗି ସମସ୍ତ କୋଭିଡ ନିୟମ ଅନୁପାଳନ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଛନ୍ତି । ଓଡ଼ିଶାରେ ସମୁଦାୟ ୨୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଥିବା ବେଳେ ଓଡ଼ିଶା-ମୋ ପରିବାର ତରଫରୁ ସମସ୍ତ ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷା କେନ୍ଦ୍ର ସମ୍ମୁଖରେ ‘ହେଲ୍ପ ଡେସ୍କ’ ସ୍ଥାପନ କରି ନିୟମିତ ଭାବରେ ପାଣି ବୋତଲ, ସାନିଟାଇଜର, କଲମ, ମାସ୍କ, ଜଳଖିଆ ଇତ୍ୟାଦି ଯୋଗାଇ ଦିଆଯାଉଛି ।
ସୂଚନା ଅନୁଯାୟୀ, ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି। ଆଜି ଭୁବନେଶ୍ୱର ପରୀକ୍ଷାକେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀ ସଡ଼କ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାର ତରଫରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଗତକାଲି ଜଣେ ଛାତ୍ରୀଙ୍କର ପରୀକ୍ଷାକେନ୍ଦ୍ର କଟକରେ ହୋଇଥିବା ବେଳେ ଭୁଲବଶତଃ ସେ ଭୁବନେଶ୍ୱର ପରୀକ୍ଷାକେନ୍ଦ୍ରରେ ପହଞ୍ଚିଯାଇଥିଲେ। ସ୍ୱଳ୍ପ ସମୟ ମଧ୍ୟରେ ଓଡ଼ିଶା-ମୋ ପରିବାର ତରଫରୁ ଯାତାୟତ ସୁବିଧା କରାଯାଇ ସଠିକ୍ ସମୟରେ ତାଙ୍କୁ ନିର୍ଦ୍ଧାରିତ ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇ ଦିଆଯାଇଥିଲା। ସେହିପରି ଭାବରେ ଗତ ତିନି ଦିନ ମଧ୍ୟରେ ଭୁବନେଶ୍ୱରେ ୫୦ରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଧାରିତ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବା ଲାଗି ଓଡ଼ିଶା-ମୋ ପରିବାର ତରଫରୁ ଯାତାୟତ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଓଡ଼ିଶାର ଅନ୍ୟାନ୍ୟ ୬ ଟି ସହର ଯଥା- ବ୍ରହ୍ମପୁର, ବାଲେଶ୍ୱର, ରାଉରକେଲା, କଟକ, ସମ୍ବଲପୁର ଏବଂ ଢେଙ୍କାନାଳରେ ମଧ୍ୟ ୬୦ରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଧାରିତ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବା ଲାଗି ଓଡ଼ିଶା-ମୋ ପରିବାର ତରଫରୁ ଏହି ସୁବିଧା ଯୋଗାଇ ଦିଆଯାଇଛି।
ଆଗାମୀ ଦିନରେ ମଧ୍ୟ ଓଡ଼ିଶା-ମୋ ପରିବାର ସଦାସର୍ବଦା ପରୀକ୍ଷାର୍ଥୀଙ୍କୁ ଏହିପରି ଭାବରେ ସହାୟତା କରିବା ଲାଗି ତତ୍ପର ରହିବ କିନ୍ତୁ ସମସ୍ତ ପରୀକ୍ଷାର୍ଥୀ ଏବଂ ଅବିଭାବକଙ୍କୁ ସଠିକ ରୂପେ ନିର୍ଦ୍ଧାରିତ ପରୀକ୍ଷାକେନ୍ଦ୍ରକୁ ଚିହ୍ନଟ କରି ପହଞ୍ଚିବା ଲାଗି ଓଡ଼ିଶା-ମୋ ପରିବାର ତରଫରୁ ଅନୁରୋଧ କରାଯାଉଛି ।