ଝାରସୁଗୁଡ଼ା,ଏନ୍ଏନ୍ଏସ୍: ରାଜ୍ୟରେ ଗୁରୁତର କୋଭିଡ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଥେରାପି ସଫଳତାର ସହ କାର୍ଯ୍ୟ କରିଛି। ସେଥିପାଇଁ ଗତକାଲି ରାତିରେ ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ମଧ୍ୟ ୨ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିବା ନେଇ ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ଆଉ ଏବେ ଜିଲ୍ଲାରେ ପ୍ଲାଜମା ଥେରାପି ଆରମ୍ଭ କରି କରୋନାର ଦୃଢ଼ ମୁକାବିଲା ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି। ସୁସ୍ଥ ଏବଂ ଯୋଗ୍ୟ କରୋନା ରୋଗୀ ପ୍ଲାଜମା ଦାନ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଝାରସୁଗୁଡ଼ା ଜିଲ୍ଲାର ସୁସ୍ଥ କରୋନା ଆକ୍ରାନ୍ତ ପୂର୍ବରୁ ରାଉରକେଲା ଓ ବୁର୍ଲା ଯାଇ ପ୍ଲାଜମା ଦାନ କରିଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୮୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩୮ ଜଣ ସୁସ୍ଥ ହୋଇଥିବାବେଳେ ୩୦୭ ଜଣଙ୍କ ଚିକିତ୍ସା ଜାରି ରହିଛି। ତେବେ ଏହି ସୁସ୍ଥ ରୋଗୀମାନେ ପ୍ଲାଜମା ଦାନ କଲେ ଚିକିତ୍ସିତ ହେଉଥିବା ରୋଗୀ ଶୀଘ୍ର ସୁସ୍ଥ ହୋଇପାରିବେ ବୋଲି ଜିଲ୍ଲା ପ୍ରଶାସନ ଆଶାବ୍ୟକ୍ତ କରିଛି।