ଡିସେମ୍ବର ସୁଦ୍ଧା ବେଲପାହାଡ଼ ଓ ବ୍ରଜରାଜନଗରରେ ଲାଗିବ ସିସିଟିଭି କ୍ୟାମେରା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଓ ବେଲପାହାଡ଼ ପୌରପରିଷଦର ବିଭିନ୍ନ ଅଞ୍ଚଳରେ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସିସିଟିଭି କ୍ୟାମେରା ଲଗାଯିବ। ଏମସିଏଲ ସିଏସ୍ଆର ପାଣ୍ଠିରୁ ଏହା ଲଗାଯିବା ପାଇଁ ଗତ ଅକ୍ଟୋବର ୧୫ ତାରିଖ ଆରପିଡିଏସି ବୈଠକରେ ନିଷ୍ପତ୍ତି ନିଆଯାଇଥିବାବେଳେ ଏମସିଏଲ ପକ୍ଷରୁ ଏପର୍ଯ୍ୟନ୍ତ କାମ ଆରମ୍ଭ କରାଯାଇ ନଥିଲା। ଫଳରେ ଆଜି ଏନେଇ ବେଲପାହାଡ଼ଠାରେ ଉପଜିଲ୍ଲାପାଳ ଶିବ ଟପ୍ପୋଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଶ୍ରୀ ଟପ୍ପୋ ଏମସିଏଲକୁ ଶୀଘ୍ର ସିସିଟିଭି ଇନଷ୍ଟୋଲେସନର ଡିଟେଲ୍ଟ ପ୍ରୋଜକ୍ଟ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରି ଡିସେମ୍ବର ସୁଦ୍ଧା ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବେଲପାହାଡ଼ର ଶନି ମନ୍ଦିରଛକ, ସିଭମ ପେଟ୍ରୋଲ ପମ୍ପ ଛକ, ବେଲପାହାଡ଼ ଫାଟକ, ମହିମା ଛକ, ଟିଆରଏଲ ଷ୍ଟାଡିୟମ ପରି ୧୩ଟି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା ନେଇ ନିଷ୍ପତ୍ତି ନିଆଯାଇଥିବାବେଳେ ବ୍ରଜରାଜନଗରର ମୋଟ ୧୮ଟି ସ୍ଥାନରେ ଲଗାଯିବ। ଏହି ସିସିଟିଭି ଲଗାଇବା ସହ ୫ ବର୍ଷର ରକ୍ଷଣାବେକ୍ଷଣ କାର୍ଯ୍ୟ ଏମସିଏଲ ତୁଲାଇବ।

ପ୍ରକାଶଯୋଗ୍ୟ ଯେ, ବ୍ରଜରାଜନଗର ଓ ବେଲପାହାଡ଼ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଅଞ୍ଚଳବାସୀ ବହୁଦିନରୁ ଦାବି କରି ଆସୁଥିଲେ। ତେବେ ସିସିଟିଭି ଲାଗିବା ପରେ ଅଞ୍ଚଳରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପକୁ ରୋକାଯାଇ ପାରିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।