ପିପିଲିକୁ ହାତେଇବା ପାଇଁ ସରକାରୀ କଳକୁ ଅପବ୍ୟବହାର କରିବା ଆରମ୍ଭ କଲା ବିଜେଡି : ବିଜେପି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ନିର୍ବାଚନ ବୈତରଣୀ ପାର କରିବା ଲାଗି ବିଜେଡି ସମସ୍ତ ବଳ ଖର୍ଚ୍ଚ କରିବାରେ ଲାଗିଛି। ଭୋଟରକୁ ଧମକ ଦେବା ଓ ପ୍ରିଜାଇଡିଂ ଅଫିସରକୁ ଲଗାଇ ପୋଷ୍ଟାଲ ବାଲାଟରେ ବିଜେଡି ସପକ୍ଷରେ ଭୋଟ କାର୍ଯ୍ୟ କରି କରୁଛି। ବର୍ତ୍ତମାନ ସେହି ସମାନ ଢ଼ଙ୍ଗରେ ପିପିଲି ଉପନିର୍ବାଚନ ଜିତିବା ପାଇଁ ସରକାରୀ କଳକୁ ଅପବ୍ୟବହାର କରି ଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହି ଅଭିଯୋଗ ନେଇ ଆଜି ବିଜେପି ପକ୍ଷରୁ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରର ସରକାରୀ ମେଡିକାଲ ଅଫିସର ଇନ୍ଚାର୍ଜ ଡାକ୍ତର ଅବିନାଶ ରଥ ନିଜ ସୋସିଆଲ ମିଡିଆରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଆରମ୍ଭ କରିଛନ୍ତି। ଯାହାକି ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ଓ ଲୋକ ପ୍ରତିନିଧିତ୍ୱ ଆଇନ-୧୯୫୧ ଅନୁଯାୟୀ ସମ୍ପୂର୍ଣ୍ଣରୂପେ ବେନିୟମ। ରାଜ୍ୟ ନିର୍ବାଚନ ଅଧିକାରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ଏଭଳି ବେଆଇନ ଘଟଣାରେ ସମ୍ପୃକ୍ତ ଥିବା ମେଡିକାଲ ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି। ଏହି ସମସ୍ତ ବେଆଇନ କାର୍ଯ୍ୟର ସମସ୍ତ ତଥ୍ୟ ପ୍ରମାଣ ସହ ଫଟୋ ଓ ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ପ୍ରତିନିଧୀ ଦଳ ପ୍ରଦାନ କରିଛି।
ଉପନିର୍ବାଚନରେ ସରକାରୀ ଅଧିକାରୀଙ୍କୁ ପ୍ରଚାରରୁ ନିବୃତ ରଖିବା ଏବଂ ବିନା କୌଣସି ରାଜନୈତିକ ଚାପରେ ନିଜ ଦାୟୀତ୍ୱ ଜନସାଧାରଣଙ୍କ ସ୍ୱାର୍ଥରେ ସଠିକ୍ ଭାବେ ତୁଲାଇବା ପାଇଁ ନିର୍ବାଚନ ଆୟୋଗ ଉତ୍ତରଦାୟୀ। ଯଦି କୌଣସି ସରକାରୀ ଅଧିକାରୀ ଏଭଳି ବେଆଇନ କାର୍ଯ୍ୟ କରନ୍ତି, ତେବେ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ରହିଛି। ଏହି ଦିଗରେ ନିର୍ବାଚନ ଅଧିକାରୀ ସମ୍ପୃକ୍ତ ମେଡିକାଲ ଅଫିସରଙ୍କୁ ତୁରନ୍ତ ନିଲମ୍ବନ କରି ଆଗାମୀ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ନେଇ ସୁନିଶ୍ଚିତ କରାନ୍ତୁ ବୋଲି ପ୍ରତିନିଧୀ ଦଳ ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଡ ଯତୀନ ମହାନ୍ତି ଓ ସୋନାଲୀ ସାହୁଙ୍କ ସମେତ ଲିଗାଲ୍ କୋଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।